କେନ୍ଦ୍ରାପଡ଼ା,କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଚଣ୍ଡିଖୋଲ – ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ନିଳାଚଂଳ ଛକରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି । ମୃତ ଯୁବକ ଜଣକ ହେଲେ ସତ୍ୟଜିତ୍ ଦାସ । ଗୁରୁତର ଆହତ ଜଣକ ହେଲେ ସୁଜିତ୍ ପଟ୍ଟନାୟକ ।
ସତ୍ୟଜିତ୍ ଏବଂ ସୁଜିତ୍ ଉଭୟ ପାରାଦୀପରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଆଜି ସକାଳୁ ବାଇକ୍ ଯୋଗେ ଡିୟୁଟିକୁ ଯାଉଥିବା ସମୟରେ ଏକ ମାଲବାହୀ ଟ୍ରକ୍ ଏମାନଙ୍କ ବାଇକ୍ କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସତ୍ୟଜିତଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିବା ଫଳରେ ରାସ୍ତାରେ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଅଟକି ରହିଛି । ଖବର ପାଇ ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ଓ ମହାକାଳପଡା ଅତିରିକ୍ତ ତହସିଲଦାର ପହଁଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହାର ହୋଇଥିଲା । ମୃତ ଯୁବକଙ୍କ ପରିବାରକୁ ରେଡକ୍ରସ ତରଫରୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ମୃତ ଯୁବକ କାମ କରୁଥିବା କମ୍ପାନୀ କର୍ତୃପକ୍ଷ ୩୦ ହଜାର ଟଙ୍କା ମଧ୍ୟ ପ୍ରଦାନ କରିବା ସହିତ ପରିବାରର ଜଣଙ୍କୁ ଚାକିର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମହାକାଳପଡା ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚ୍ଚି ନାୟକ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।