ଭୁବନେଶ୍ୱର, କେନ୍ଦ୍ର ସରକାର ସୂଚନା ଓ ପ୍ରଯୁକ୍ତି ନିୟମାବଳୀର ସଂଶୋଧନ ଆଣିଛନ୍ତି । ଏହି ସଂଶୋଧନ ହେଲେ କେଉଁ ଖବର ପ୍ରସାରିତ ହେବ ତାହା ନିର୍ଦ୍ଧାରଣରେ ସରକାରଙ୍କ ନିରଙ୍କୁଶ କ୍ଷମତା ସରକାରଙ୍କ ଏକଛତ୍ରବାଦୀ ତାନାଶାହୀ ବ୍ୟବସ୍ଥାର ପ୍ରଣୟନ ସହ ଏହା କ୍ଷମତାଶାଳୀଙ୍କ କୁଶାସନ ବିରୋଧରେ ସମ୍ବାଦ ପରିବେଷଣ ଉପରେ ଅଙ୍କୁଶ ଲାଗିଯିବ ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ସମ୍ପାଦକମଣ୍ଡଳୀ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମ୍ବାଦ ପରିବେଷଣ ଏକ ମୌଳିକ ଅଧିକାର ହୋଇଥିବାବେଳେ ଏହା ଉପରେ ଅଙ୍କୁଶ ଲଗାଇବାକୁ ଦୃଢ଼ ନିନ୍ଦା କରାଯାଇଛି । ସରକାରଙ୍କ ସୂଚନା ପ୍ରଯୁକ୍ତି (ଇଣ୍ଟରମିଡିଆରୀ ଗାଇଡ଼ ଲାଇନ୍ ଆଣ୍ଡ ଡିଜିଟାଲ୍ ମିଡ଼ିଆ ଏଥିକସ କୋଡ୍) ସଂଶୋଧନ ନିୟମାବଳୀକୁ ପ୍ରତ୍ୟାହାର କରିବା ପାଇଁ ପାର୍ଟି ପକ୍ଷରୁ ଦାବି କରାଯାଇଛି । ସଂଶୋଧିତ ନିୟମାବଳୀରେ ଫ୍ୟାକ୍ଟ ଚେକିଙ୍ଗ୍ ୟୁନିଟ୍ ଗଠନ କରି ଏହା ଜରିଆରେ କେଉଁ ଖବର ମିଛ, ଜାଲ କିମ୍ବା ବିଭ୍ରାନ୍ତିକର ତାହା ଚୟନ କରିବାର ସମ୍ପୂର୍ଣ୍ଣ କ୍ଷମତା କେନ୍ଦ୍ର ସରକାର ନିଜର ହାତରେ ରଖିଛନ୍ତି । ଏହି ଫ୍ୟାକ୍ଟ ଚେକିଙ୍ଗ ୟୁନିଟ୍ର କୌଣସି ଭୂଲ ନିଷ୍ପତ୍ତି ହେଲେ ଏହା ବିରୋଧରେ ଅପିଲ ବ୍ୟବସ୍ଥା ନୂଆ ନିୟମାବଳୀରେ ନଥିବାରୁ ଏହା ଏକଛତ୍ରବାଦକୁ ପ୍ରୋତ୍ସାହିତ କରିବ । ସେହିପରି ବିଷୟବସ୍ତୁ ହଟାଇବା କିମ୍ବା ସୋସାଲ ମିଡିଆ ହ୍ୟାଣ୍ଡେଲକୁ ବ୍ଲକ କରିବା କ୍ଷମତା ସରକାରଙ୍କ ହାତରେ ରଖିବା ଦ୍ୱାରା ବିରୋଧୀଙ୍କ ସ୍ୱରକୁ ବନ୍ଦ କରିବାକୁ ଏହା ଉଦ୍ଦିଷ୍ଟ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି ।
ଏହି ସଂଶୋଧିତ ନିୟମାବଳୀ ପ୍ରତ୍ୟାହାର ପାଇଁ ସମସ୍ତ ଗଣତନ୍ତ୍ରପ୍ରେମୀ ଦଳ ଐକ୍ୟବଦ୍ଧ ହେବା ସହ ଓଡ଼ିଶା ସରକାର ଏହାକୁ ପ୍ରତ୍ୟାହାର ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି । ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଗଣମାଧ୍ୟମରେ ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ ବୋଲି କୁହାଯାଇଥିବା ମନ୍ତବ୍ୟକୁ ନିରସ୍ତ୍ର କରିବା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ହୀନପ୍ରୟାସ ବୋଲି ସିପିଆଇ ପ୍ରତିବାଦରେ ଜଣାଇଛି । ଏହା ପ୍ରତ୍ୟାହାର ନହେଲେ, ସିପିଆଇ ପକ୍ଷରୁ ବ୍ୟାପକ ପ୍ରତିବାଦ ଓ ପ୍ରତିରୋଧ ଆନ୍ଦୋଳନ କରିବାକୁ ଚେତାବନୀ ଦେବା ସହିତ ସମସ୍ତ ଗଣତନ୍ତ୍ରପ୍ରେମୀ ଶକ୍ତି ଏହା ବିରୋଧରେ ଐକ୍ୟବଦ୍ଧ ପ୍ରତିରୋଧ ପାଇଁ ଆହ୍ୱାନ ଦେଇଛି । ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ବୈଠକରେ ରାଜ୍ୟ ସମ୍ପାଦକ ଅଭୟ ସାହୁ, ଆଶିଷ କାନୁନ୍ଗୋ, କ୍ଷୀରୋଦ ସିଂହଦେଓ, ଡାକ୍ତର ପ୍ରଶାନ୍ତ ମିଶ୍ର, ଜୟନ୍ତ ଦାସ ଓ ପ୍ରକାଶ ପାତ୍ର୍ର ସୁଚିନ୍ତିତ ମତ ଦେଇଥିଲେ ।