ହରିଚନ୍ଦନପୁର, କେନ୍ଦ୍ର ଓ ରାଜ୍ୟ ସରକାର ଅପହଞ୍ଚ ଇଲାକାରେ ଆଦିବାସୀଙ୍କ ବିକାଶ ପାଇଁ ବାର୍ଷିକ ଯୋଜନା ଉପରେ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ବାସ୍ତବରେ ସବୁ ଯୋଜନା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପାହାଡ ଚଢ଼ି ପାରୁଛି କି ନାହିଁ, ତାହା ଦେଖିଲେ ଜଣାପଡ଼ୁଛି । ଆଦିବାସୀ ଅଞ୍ଚଳ ଗୁଡିକ ଦେଖିଲେ ମନେ ହୁଏ, କେବଳ କାଗଜ କଲମରେ ଯେମିତି ସୀମିତ ହୋଇ ରହିଯାଇଛି ସବୁ ବିକାଶ ଯୋଜନା । ସତେ ଯେମିତି ଦୁର୍ଗମ ଆଦିବାସୀ ଅଞ୍ଚଳରେ ଯୋଜନା ସବୁ ଅଟକି ଯାଇଛି । ସ୍ୱାଧୀନତାର ୭୫ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଲୋକେ ବିଭିନ୍ନ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ଆଦିବାସୀ ଅଧୁଷିତ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ଅନ୍ତର୍ଗତ ପିଠାଗୋଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖରବା ଗ୍ରାମର ବରଗୋଡା ସାହିରେ ଏପରି ଦୁର୍ଦ୍ଦଶା ଦେଖିବାକୁ ମିଳିଛି । ସାହିଟି ସବୁ କ୍ଷେତ୍ରରେ ଅବହେଳିତ ହୋଇ ସ୍ୱାସ୍ଥ୍ୟ,ପାନୀୟଜଳ, ବିଦ୍ୟୁତ ଭଳି ଅନ୍ୟାନ୍ୟ ସରକାରଙ୍କ ମୌଳିକ ସୁବିଧା ଏଠି ଅପହଞ୍ଚ । ସାଧାରଣତଃ ଗାଁକୁ ଭଲ ରାସ୍ତାଟିଏ ନାହିଁ, ନା ଜରୁରୀକାଳୀନ ଗାଡି ଯାଇପାରୁଛି, ନା ରୋଗୀକୁ ଆମ୍ବୁଲାନ୍ସ ସେବା ମିଳିପାରୁଛି । ଗର୍ଭବତୀ ମା ହୁଅନ୍ତୁ କି ବୃଦ୍ଧ, ରୋଗଗ୍ରସ୍ତ ହେଲେ ହସ୍ପିଟାଲ ଯିବା ନିମନ୍ତେ ଖଟିଆ କିମ୍ବା ଭାର ହିଁ ଏକ ମାତ୍ର ଭରସା । ସାହି ପାଖରେ ବିଦ୍ୟାଳୟ କି ଅଙ୍ଗନୱାଡ଼ି କେନ୍ଦ୍ର ନଥିବାରୁ ଦୀର୍ଘ ୩ କିମି ଜଙ୍ଗଲ ରାସ୍ତାରେ ଚାଲି ଚାଲି ଖରବା ଗାଁରେ ପହଁଚିଲେ ପିଲା ପାଠ ପଢିବା ସହିତ ଅଙ୍ଗନୱାଡ଼ି କେନ୍ଦ୍ରର ସୁବିଧା ପାଇଥାନ୍ତି । ଗାଁରେ ପିଇବା ନିମନ୍ତେ ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ । ନାଳର ଚୁଆ ହିଁ ଏଠାକାର ଲୋକଙ୍କ ଜୀବନ ବଞ୍ଚାଉଥିବା ଦେଖିବାକୁ ମିଳେ । ଏହି ସାହିରେ ମହ୍ଲାର, ମହାକୁଡ଼, ମହାନ୍ତ, ପଲେଇ ସମ୍ପ୍ରଦାୟର ୨୫ରୁ ଉର୍ଦ୍ଧ୍ବ ପରିବାର ରହିଛନ୍ତି । ପଞ୍ଚାୟତ ଠାରୁ ସାହିର ଦୂରତା ୯ କିମି । ଦୁଃଖର ବିଷୟ ସାହିବାସୀ ଦୀର୍ଘ ଦିନର ବାସିନ୍ଦା, କେବଳ ଭୋଟ ଦେଇ ଆସୁଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ଘର କିମ୍ବା ରାସନ୍ କାର୍ଡଟିଏ ମିଳିପାରୁନି । ଏବେ ସାହିର ଅନେକ ପରିବାର ଖୋଲା ଆକାଶ ତଳେ ଭାଡ଼ି ମାରି ରହୁଥିବା ବେଳେ ଆଉ କେହି ପର ବାରଣ୍ଡାରେ ପିଲା ଛୁଆଙ୍କୁ ନେଇ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି । ଆଜି ପର୍ଯ୍ୟନ୍ତ ଲୋକଙ୍କ ପାଖରେ ଜବକାର୍ଡ ନଥିବାରୁ କାମ ନ ପାଇ ଜଙ୍ଗଲରୁ ଆଳୁ, ମହୁ, ଝୁଣା ସଂଗ୍ରହ କରି ତାହାକୁ ବିକ୍ରି କରି ପରିବାର ଚଳାଉଛନ୍ତି । ଖୋଲା ଆକାଶ ତଳ, ଗଛ ମୂଳ ହିଁ ସେମାନଙ୍କ ଘର ଆଉ ପଖାଳ ସାଙ୍ଗରେ ସାରୁପତ୍ର ସେମାନଙ୍କ ଦୈନନ୍ଦିନ ଖାଦ୍ୟ । ବିଦ୍ୟୁତ୍ ସମସ୍ୟା କହିଲେ ନ ସରେ ଜଙ୍ଗଲି ହିଂସ୍ର ଜୀବଜନ୍ତୁଙ୍କ ଭୟ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇପାରିଲା ନାହିଁ, ଫଳରେ ରାତି ହେଲେ ଜହ୍ନ ଆଲୋକ ହିଁ ଲୋକଙ୍କ ସାହା ଭରଷା । ସାହିରେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ବାବୁଙ୍କ ପାଦ ପଡ଼ିନାହିଁ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୟ ମହାକୁଡ଼ଙ୍କୁ ଘର ମିଳିଥିବା ବେଳେ ପଞ୍ଚାୟତ ଅଧିକାରୀଙ୍କ ମୋବାଇଲକୁ ୱାର୍ଟସଅପରେ ଫଟୋ ପଠାଇ କିଛି ବିଲ କରିଥିବା ବେଳେ ବର୍ତ୍ତମାନ ବାକି ବିଲ ଟଙ୍କା ଅଟକି ରହିଥିବା କହିଛନ୍ତି । ଏ ଘଟଣା ବାବଦରେ ହରିଚନ୍ଦନପୁର ବ୍ଲକ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଧୁଭୂଷଣ ଜେନାଙ୍କୁ ପଚାରିବାରୁ ଘଟଣା ବାବଦରେ ବର୍ତ୍ତମାନ ସୂଚନା ପାଇଲି, ଅନୁଧ୍ୟାନ ପରେ ଆବଶ୍ୟକ ଅନୁଯାୟୀ ଯାହା ହୋଇପାରିବ ସେ ସବୁକୁ ଗୁରୁତ୍ଵ ଦିଆଯିବାକୁ କହିଥିଲେ । ସେପଟେ ସାହିର ମାଧ ମହ୍ଲାର, କୁଳମଣି ମହାକୁଡ଼, ବିଜୟ ମହାକୁଡ଼, ଅଜୟ ମହାକୁଡ଼, ସୁକାନ୍ତି ମହାକୁଡ, ସୁଷମା ମହାକୁଡ଼, ବକ ମହ୍ଲାର, ପେଚି ମହ୍ଲାର, ଆଙ୍କୁଲି ମହ୍ଲାର ପ୍ରମୁଖଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।
Related Stories
November 24, 2024
November 24, 2024