-
ବିଦ୍ୟୁତ ଉପଭୋକ୍ତା ଏବଂ ଶ୍ରମିକଙ୍କ ସ୍ବାର୍ଥ ରକ୍ଷା ଉପରେ ଗୁରୁତ୍ବାରୋପ,
ଓଡ଼ିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡେରେସେନ ଏବଂ ପୁରୀ ବିଦ୍ୟୁତ କର୍ମଚାରୀ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ଘାଟିତ ହୋଇଛି । ପୌରସଦନ ପ୍ରେକ୍ଷା ଗୃହରେ ଆୟୋଜିତ ଏହି ସମାରୋହକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍ଘାଟନ କରିଥିଲେ । ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡେରେସନର ଅଧ୍ୟକ୍ଷ ବିଶିଷ୍ଟ ଶ୍ରମିକ ନେତା ରାମକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ଅଞ୍ଛଳ ଭାରତ ବିଦ୍ୟୁତ କର୍ମଚାରୀ ଫେଡେରେସନର ସାଧାରଣ ସମ୍ପାଦକ ମୋହନ ଶର୍ମା, ଉତ୍ତର ପୂର୍ବାଞ୍ଚଳ ସମ୍ପାଦକ ରମଣ ତିୱାରୀ, ଆଞ୍ଚଳିକ ସମ୍ପାଦକ ବୈଜନାଥ ପ୍ରସାଦ ସିଂହ, ବିଧାୟକ ତଥା ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଜୟନ୍ତ କୁମାର ଷଡ଼ଙ୍ଗୀ, ଟାଟା ପାୱାରର ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ୟାମସୁନ୍ଦର ଚୌଧୁରୀ, ଶ୍ରମିକ ନେତା ଜଗବନ୍ଧୁ ଦାସ, ପୁରୀ ସଂଘ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ପୁରୀ ବିଦ୍ୟୁତ କର୍ମଚାରୀ ସଂଘର ସଭାପତି କୈଳାସ ରାୟ । ଏହି ଅବସରରେ ସଂଘର ସ୍ମରଣିକା ଉନ୍ମୋଚିତ ହେବା ସଙ୍ଗେ ସଙ୍ଗେ ସଂଘର ଦିବଂଗତ ନେତାମାନଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା ।
ସମାରୋହରେ ଉଦ୍ବୋଧନ ଦେଇ ସଂଘର ନେତାମାନେ ଏକ ଯଥାର୍ଥ ଶୋଷଣମୁକ୍ତ, ସଂସ୍କାରିତ, ସ୍ୱଚ୍ଛ ଓ ଜନହିତକାରୀ ବିଦ୍ୟୁତ ସେବା ବ୍ୟବସ୍ଥାର ସୁନିଶ୍ଚିତକରଣ କରାଯିବା ସଙ୍ଗେ ସଙ୍ଗେ ବିଦ୍ୟୁତ ଉପଭୋକ୍ତା ଓ ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଟାଟା ପାୱାର କମ୍ପାନୀ ଉପରେ ଜନସାଧାରଣଙ୍କ ଚାପ ରହିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ । ଅତିଥିମାନେ ମତ ଦେଇଥିଲେ ଯେ, ବିଦ୍ୟୁତ ଉଦ୍ୟୋଗ ସରକାରୀ ପରିଚାଳନାଧୀନ ଥିବାବେଳେ ଗ୍ରାହକମାନଙ୍କୁ ଉପଯୁକ୍ତ ସେବା ଯୋଗାଣ, ଉପଭୋକ୍ତା ମାନଙ୍କ ସ୍ବାର୍ଥରକ୍ଷା ତଥା କର୍ମଚାରୀଙ୍କ ଅଧିକାରର ସୁରକ୍ଷା ଥିଲା ବିଦ୍ୟୁତ ଶ୍ରମିକ କର୍ମଚାରୀମାନଙ୍କ ମୂଳ ଲକ୍ଷ୍ୟ । ଏବେବି ଏହି ଲକ୍ଷ୍ୟ ଅପରବର୍ତ୍ତିତ ରହିଛି, ତେବେ ବିଦ୍ୟୁତ କ୍ଷେତ୍ରରେ ଘରୋଇକରଣ ଯୋଗୁଁ ଉପଭୋକ୍ତା ଏବଂ କର୍ମଚାରୀମାନଙ୍କ ସ୍ବାର୍ଥହାନୀ ଘଟିଥିବାବେଳେ ସେମାନଙ୍କ ପାଇଁ ନୂତନ ଆହ୍ବାନ ସୃଷ୍ଟି ହୋଇଛି । ଉପଭୋକ୍ତାମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦିଆଯାଇ ପାରିନାହିଁ । ଅନ୍ୟପକ୍ଷରେ ଶ୍ରମିକ କର୍ମଚାରୀମାନଙ୍କ ଅଧିକାରୀ ସଂକୁଚିତ କରାଯାଉଛି । ଏ ପରିପ୍ରେକ୍ଷୀରେ ଶ୍ରମିକ, କର୍ମଚାରୀ ଓ ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢ଼େଇ କରିବା ଏକାନ୍ତ ଜରୁରୀ ବୋଲି ଅତିଥି ବକ୍ତାମାନେ ମତ ପୋଷଣ କରିଥିଲେ । ସଭା ପୂର୍ବରୁ ସଂଘର ପତାକା ଉତ୍ତୋଳନ
ସହ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ପୁରୀ ବିଦ୍ୟୁତ କର୍ମଚାରୀ ସଂଘର ଉପସଭାପତି ରାଜକିଶୋର ପଟ୍ଟନାୟକ, ଯୁଗ୍ମ ସଂପାଦକ ଗଣେଶ ବେହେରା, କୋଷାଧ୍ୟକ୍ଷ ବି. ଜଗଦୀଶ ପଟ୍ଟନାୟକ, କର୍ମକର୍ତ୍ତା ଶୁଭକେତନ ବରାଳ, ସତ୍ୟନାରାୟଣ ପ୍ରଧାନ, ଜୟକୃଷ୍ଣ ମଲ୍ଲିକ, ଯୋଗେନ୍ଦ୍ର ମହାପାତ୍ର, ବିଜୟ କୁମାର ସ୍ୱାଇଁ, ରାଜକୁମାର ସାହୁ, ସଞ୍ଜୟ କୁମାର ସେନ୍, ଗୁରୁଦେବ ପ୍ରଧାନ ପ୍ରମୁଖ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ । ଏହି ସମ୍ମିଳନୀ ଦୁଇ ଦିନ ଧରି ଚାଲିବ ଏବଂ ଏଥିରେ ରାଜ୍ୟର ସମସ୍ତ ବିଦ୍ୟୁତ ଡିଭିଜନରୁ ୬୦୦ରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗଦାନ କରିଛନ୍ତି ।