ବଲାଙ୍ଗିର, ବଲାଙ୍ଗିର ସଇଁତଲା ଥାନା କୁଆଁରଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ନିର୍ଯାତନା ସହି ନ ପାରି ପଙ୍ଖାରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ମହିଳାଙ୍କ ନାମ କଳ୍ପନାମୟୀ ତ୍ରିପାଠୀ (୨୫), ସ୍ଵାମୀ ଶୁଭାଂଶୁ ଶେଖର ତ୍ରିପାଠୀ ଘର ସଇଁତଲା ଥାନା କୁଆରଗାଁ ବୋଲି ଜଣାପଡିଛି । ଖବର ପାଇ ଟିଟିଲାଗଡ଼ ଏସ୍ଡ଼ିପିଓ ଅଙ୍କିତା କୁମ୍ଭାର, ସଇଁତଲା ଥାନା ଅଧିକାରୀ ଅବନୀ କୁମାର ସାହୁ, ଏସ୍ଆଇ ସଂଗୀତା ବେକ, ଆଲୋକ ଭୋଇ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ବଲାଙ୍ଗିର ଡାକ୍ତରଖାନାକୁ ପଠାଇଛନ୍ତି । ଏନେଇ ଥାନା କେସ ନଂ ୭୮/୨୩ରେ ମାମଲା ରୁଜୁ କରି ସ୍ଵାମୀ ଶ୍ରୁଭ୍ରାଂଶୁ ତ୍ରିପାଠୀଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରି ଶୁକ୍ରବାର ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଯାଇଛି ।
ପ୍ରକାଶ ଯେ, କୁଆରଗାଁର ସଚିକାନ୍ତ ତ୍ରିପାଠୀଙ୍କ ପୁଅ ଶୁଭ୍ରାଂଶୁ (୩୦) ଗତ ୨୩ ଏପ୍ରିଲ ୨୦୧୮ ମସିହାରେ ବଲାଙ୍ଗିର ସହରର ରାମେଶ୍ଵର ନଗରର ସ୍ବର୍ଗତ ଗୋବିନ୍ଦ ଷଡ଼ଙ୍ଗୀଙ୍କ ଝିଅ କଳ୍ପନାମୟୀଙ୍କ ସହିତ ବିବାହ କରିଥିଲେ । ବିବାହ ପରେ ବିଭିନ୍ନ ସମୟରେ କଳ୍ପନାଙ୍କୁ ଶ୍ଵଶୁର ଘର ଲୋକେ ବାଇକ ଓ ୧ ଲକ୍ଷ ଟଙ୍କା ଯୌତୁକ ଦାବୀ କରିବା ସହ ବାରମ୍ବାର ଶାରୀରିକ ନିର୍ୟାତନା ଦେଉଥିଲେ ବୋଲି ୨୦୨୦ ମସିହାରେ ସଇଁତଲା ଥାନାରେ ଅଭିଯୋଗ ପରେ ଆପୋଷ ବୁଝାମଣା ହୋଇଥିଲା ବୋଲି ଝିଅର ଭାଇ ରଶ୍ମି ରଞ୍ଜନ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ଗତ ୬ ତାରିଖ ଗୁରୁବାର ଘଟଣା ଦିନ ସକାଳୁ ମୃତ ମହିଳାଙ୍କ ସହ ଶାଶୁ ଶ୍ଵଶୁରଙ୍କ ଝଗଡା ହୋଇଥିଲା । ଏହାପରେ ଦିନ ୧୦ଟା ସମୟରେ ଶୁଭ୍ରାଂଶୁ ସଇଁତଳାକୁ ପୁଅର ଆଧାର କାର୍ଡ ଆଣିବାକୁ ଯାଇଥିବା ବେଳେ ଘରେ କେହି ନ ଥିବାରୁ ସ୍ତ୍ରୀ ଗାଁ ପୋଖରୀରୁ ଗାଧୋଇ ଆସି ଘରେ କବାଟ ଦେଇ ପଙ୍ଖାରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ । ଖବର ପାଇ କଳ୍ପନାଙ୍କ ବାପା ଘର ଲୋକେ କୁଆରଗାଁରେ ପହଂଚି ପାରିପାଶ୍ୱିର୍କ ସ୍ଥିତିକୁ ଦେଖି କଳ୍ପନାକୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଥିବା ସଇଁତଳା ଥାନାରେ କଳ୍ପନାଙ୍କ ବାପା ଘର ଲୋକେ ଲିଖିତ ଅଭିଯୋଗ କରିଥିଲେ । ଶୁଭ୍ରାଂଶୁଙ୍କୁ ଗାଁରେ କୌଣସି କାମଧନ୍ଦା ନ ମିଳିବାରୁ ଅହମ୍ମଦାବାଦକୁ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ବର୍ତମାନ କଳ୍ପନାଙ୍କ ୩ ବର୍ଷର ଶିଶୁପୁତ୍ର ଥିବା ଜଣାଯାଇଛି । ଉକ୍ତ ମାମଲାକୁ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ଵାବଧାନରେ ଏସଆଇ ସଂଗୀତା ବେକ ଘଟଣାର ତଦନ୍ତ କରୁଛନ୍ତି ।