ବଲାଙ୍ଗିର, ବହୁ ଚର୍ଚ୍ଚିତ ବଲାଙ୍ଗିର ଜାଲ୍ ସାର୍ଟିଫିକେଟ ମାମଲାରେ ରାକେଟର ମୁଖ୍ୟ ତଥା ରିଲାଏନ୍ସ ଏଜୁକେସନାଲ କମ୍ପେ୍ଲକ୍ସର ମାଲିକ ମନୋଜ କୁମାର ମିଶ୍ର, ତା’ର ସହଯୋଗୀ ଆଲୋକ ଉଦ୍ଗାତା ଏବଂ ଦୁଇ ଜାଲ୍ ସାର୍ଟିଫିକେଟ ବ୍ୟବହାରକାରୀ ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡେକଙ୍କୁ ଗତ ୫ ତାରିଖ ଅପରାହ୍ନରୁ ତିନି ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଜାରୀ ରଖିଥିଲା କ୍ରାଇମବ୍ରାଂଚ । ଆଜି ଅପରାହ୍ନ ସୁଦ୍ଧା ଏହି ରିମାଣ୍ଡ ଅବଧି ଶେଷ ହେବ । ଏହାପରେ ଅଭିଯୁକ୍ତ ମାନଙ୍କୁ ଆଜି ବଲାଙ୍ଗିର ଏସଡିଜେଏମ କୋର୍ଟରେ ହାଜର କରିବ କ୍ରାଇମବ୍ରାଂଚ । ମାମଲାରେ ଅଧିକ ପଚରା ଉଚରା ପାଇଁ ମନୋଜ ଓ ଆଲୋକଙ୍କୁ ଆହୁରି ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ କ୍ରାଇମବ୍ରାଂଚ । ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ମନୋଜର ୧ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତିକୁ ଜବତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଂଚ । ଅବଶିଷ୍ଟ ୨୦ ଲକ୍ଷ ନଗଦ ରହିଥିବା କ୍ରାଇମବ୍ରାଂଚ ସୂତ୍ରରୁ ଜଣାପଡିଛି । ଏହି ସମ୍ପତି ମଧ୍ୟରେ ୫ଟି ବହୁମୂଲ୍ୟ ଜମି, ମନୋଜର ପତ୍ନୀଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ରହିଥିବା ଆକାଉଂଟ, ଯେଉଁ ଆକାଉଂଟରେ ଜାଲ ସାର୍ଟିଫିକେଟ ବାବଦ ଅର୍ଥ ନେଣଦେଣ ଚାଲିଥିଲା, ସେସବୁ ଆକାଉଂଟକୁ ଅଚଳ କରିବା ପାଇଁ ପ୍ରକ୍ରିୟା ଜାରୀ ରଖିଛି କ୍ରାଇମବ୍ରାଂଚ । ମନୋଜ ନିର୍ଦ୍ଦିଷ୍ଟ ଭାବରେ କେତେ ସଂଖ୍ୟାରେ ନକଲି ସାର୍ଟିଫିକେଟ ବିକ୍ରୀ କରିଛି, ତା’ର ବ୍ୟାଙ୍କ ଆକାଉଂଟକୁ ମୋଟ୍ କେତେ ଟଙ୍କା ଆସିଛି ସେନେଇ କ୍ରାଇମବ୍ରାଂଚ ବ୍ୟାଙ୍କ ଅଧିକାରୀମାନଙ୍କୁ ତଥ୍ୟ ମାଗିଛି । ସେହିପରି ମନୋଜର ଜମି ସଂକ୍ରାନ୍ତୀୟ ଅଧିକ ତଥ୍ୟ ଦେବାକୁ ସ୍ଥାନୀୟ ତହସିଲଦାରଙ୍କ ସହିତ ଯୋଗାଯୋଗ କରିଛି କ୍ରାଇମବ୍ରାଂଚ ।
ଜାଲ୍ ସାର୍ଟିଫିକେଟ ମାମଲାର ତଦନ୍ତ ପ୍ରକ୍ରିୟାକୁ ନିରୀକ୍ଷଣ କରିବା ପାଇଁ ବୁଧବାର ଠାରୁ ବଲାଙ୍ଗିରରେ କ୍ରାଇମବ୍ରାଂଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା କ୍ୟାମ୍ପ କରି ରହିଛନ୍ତି । ମନୋହରପୁର ରିଜର୍ଭ ପୋଲିସ ବାରାକ୍ ପରିସରରେ ଉପରୋକ୍ତ ୪ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିବା ପରେ ଅନେକ ତଥ୍ୟ କ୍ରାଇମବ୍ରାଂଚ ହାତରେ ଲାଗିଥିବା କୁହାଯାଉଛି । ତେବେ ଏହି ରାକେଟ୍ ର ଚେର କେତେ ଦୂର ଲମ୍ବିଛି ସେନେଇ ଖୋଳତାଡ଼ ଜାରୀ ରଖିଛି କ୍ରାଇମବ୍ରାଂଚ । ଇନଷ୍ଟିଚ୍ୟୁଟରୁ ମିଳିଥିବା ଡାଏରୀରୁ ନିଯୁକ୍ତି ପାଇଥିବା ଅନେକଙ୍କ ନାମ, କିଏ କେଉଁଠି ଓ କେଉଁ ବିଭାଗରେ ନିଯୁକ୍ତି ପାଇଛନ୍ତି, କିଏ କେତେ ଅର୍ଥ ଦେଇଛନ୍ତି, କାହା ମାର୍ଫତରେ ନକଲି ସାର୍ଟିଫିକେଟ ଦିଆଯାଇଛି ତାହା ଜଣାପଡିଛି, ଯାହାକି ଆଗକୁ କ୍ରାଇମବ୍ରାଂଚକୁ ତଦନ୍ତରେ ସହଯୋଗ କରିବ । ଡିଏସପି ଡି.ଏସ. ଚକ୍ରଙ୍କ ନେତୃତ୍ଵରେ କ୍ରାଇମବ୍ରାଂଚର ଏକ ୫ ଜଣିଆ ଟିମ୍ ମାମଲାର ତଦନ୍ତ କରୁଛନ୍ତି । ମହିଳା ଇନ୍ସପେକ୍ଟର ମମତାରାଣୀ ପଣ୍ଡାଙ୍କ ନେତୃତ୍ଵରେ କ୍ରାଇମବ୍ରାଂଚର ଅନ୍ୟ ଏକ ଟିମ୍ ଏହି ଟିମ୍ କୁ ତଦନ୍ତରେ ସହଯୋଗ କରୁଛନ୍ତି ।
ପ୍ରକାଶ ଥାଉକି, ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋଜ କୁମାର ମିଶ୍ର ଏବଂ ତା’ର ସହଯୋଗୀ ଆଲୋକ ଉଦ୍ଗାତାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗିର ଟାଉନ ଥାନା ପୋଲିସ । ଚଢ଼ଉ ବେଳେ ସମ୍ପୃକ୍ତ ସଂସ୍ଥାରୁ ୧ ହଜାରରୁ ୫ ହଜାର ନକଲି ସାର୍ଟିଫିକେଟ ଜବତ ହୋଇଥିଲା । ଏଥିସହିତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଜାଲ୍ ସାର୍ଟିଫିକେଟ ରାକେଟ ସକ୍ରିୟ ଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ପୋଲିସର ଏହି ତଦନ୍ତ ରିପୋର୍ଟକୁ ଆଧାର କରି କ୍ରାଇମବ୍ରାଂଚ ତଦନ୍ତ ପ୍ରକ୍ରିୟା ଜାରୀ ରଖିଛି।