ବଲାଙ୍ଗିର, ସ୍ଥାନୀୟ ମାଲପଡା ସ୍ଥିତ ବଲାଙ୍ଗିର ରେଳ ଉପଭୋକ୍ତା ସଂଘର କାର୍ଯ୍ୟାଳୟ ଠାରେ ବଲାଙ୍ଗିର ଜିଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଘର ସାଧାରଣ ସଂପାଦକ ନାରାୟଣ ପାଢୀ ପୂର୍ବ ବୈଠକର ବିବରଣୀ ପ୍ରଦାନ କରିଥିଲେ । ସଂଘର କାର୍ଯ୍ୟକାରିଣୀ ସଦସ୍ୟମାନେ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ନୂତନ ପ୍ରସ୍ତାବ ଗୁଡିକ ଉପସ୍ଥାପନ କରିଥିଲେ । ବଲାଙ୍ଗିର ରେଳ ଷ୍ଟେସନରେ ଲାଗିବାକୁ ଥିବା ଲିଫ୍ଟର ଟେଣ୍ଡର ପ୍ରକ୍ରିୟା ସରି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରେଳ ଷ୍ଟେସନରେ ଲିଫ୍ଟ ଲାଗି ପାରି ନଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ଲିଫ୍ଟ ନ ଲାଗିବା ଦ୍ଵାରା ବରିଷ୍ଠ ନାଗରିକ ଓ ରୋଗୀମାନେ ଦୁଇ ଏବଂ ତିନି ନମ୍ବର ପ୍ଲାଟଫର୍ମକୁ ଯିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ବରିଷ୍ଠ ନାଗରିକ ଓ ରୋଗୀମାନଙ୍କ ପାଇଁ ଷ୍ଟେସନ ଭିତରେ ଏକ ବ୍ୟାଟିରୀଚାଳିତ ଗାଡିର ବ୍ୟବସ୍ଥା କରିବା, ବଲାଙ୍ଗିର-ଖୋର୍ଦ୍ଧା ରେଳ ପ୍ରକଳ୍ପ କାମ ଶୀଘ୍ର ସମାପ୍ତ କରିବା, ଦିଲ୍ଲୀକୁ ବଲାଙ୍ଗିର ଦେଇ ଟ୍ରେନ ଚଳାଇବା ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ଏନେଇ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ବଲାଙ୍ଗିର ଲୋକସଭା ସାଂସଦ, ରାଜ୍ୟସଭା ସାଂସଦଙ୍କ ସମେତ ରେଳ ବିଭାଗର ଅଧିକାରୀଙ୍କୁ ବିଭିନ୍ନ ସମୟରେ ଲିଖିତ ଆକାରରେ ଦାବି ଜଣାଇଛି ସଂଘ । କିନ୍ତୁ, କୌଣସି ସୁଫଳ ମିଳି ପାରିନାହିଁ । ତେଣୁ ସଂଘ ଶେଷଥର ପାଇଁ ସମସ୍ତଙ୍କୁ ଭେଟିବା ସହ ଲିଖିତ ଆକାରରେ ଦାବି ଜଣାଇବ । ତିନି ମାସ ମଧ୍ୟରେ ଉପସ୍ଥାପନ କରାଯାଇଥିବା ଦାବୀ ଗୁଡିକ ରେଳ ବିଭାଗ ପୁରଣ ନକଲେ ସଂଘ ଆନ୍ଦୋଳକୁ ଓହ୍ଲାଇବା ସହ ରେଳ ଷ୍ଟେସନ ଭିତରେ ଧାରଣା ଦେବ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ଆସନ୍ତା ମଇ ଶେଷ ସପ୍ତାହରେ ସଂଘର ସାଧାରଣ ପରିଷଦ ବୈଠକ କରାଯିବାକୁ ନିଷ୍ପତି ହୋଇଥିଲା ଏବଂ ଏହି ସାଧାରଣ ପରିଷଦ ବୈଠକରେ ନୂତନ ପ୍ରସ୍ତାବ ଗୁଡିକକୁ ସର୍ବସମ୍ମତି କ୍ରମେ ଗୃହିତ କରାଯିବ ବୋଲି ସଭାପତି ଶ୍ରୀ ମିଶ୍ର ଘୋଷଣା କରିଥିଲେ ।
ଏହି ବୈଠକରେ ସଂଘର ଉପସଭାପତି ଅଶୋକ କୁମାର ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାକର ମିଶ୍ର, ମନରଂଜନ ପୁରୋହିତ, ଛବିଲାଲ ବେହେରା, ଯୁଧିଷ୍ଠିର ମିଶ୍ର, ଗୋପବନ୍ଧୁ ପୁରୋହିତ, ଧର୍ମପଦ ରଥ, ରୁତୁରାଜ ସିଂହ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ । କୋଷାଧ୍ୟକ୍ଷ ଅଶୋକ କୁମାର ଚାନ୍ଦ ଆୟବ୍ୟୟର ବିବରଣୀ ପ୍ରଦାନ କରିଥିବା ବେଳେ ସହସଂପାଦକ ଦିବାକର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।