
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଆଧାର କାର୍ଡ଼ର ଅଦ୍ୟତନ ବା ଅପଡେସନ ଅତ୍ୟନ୍ତ ଜରୁରୀ।ପ୍ରତ୍ୟେକ ୧୦ ବର୍ଷ ଅନ୍ତରରେ ଆଧାର ଅପଡେସନ ହେବା ଆବଶ୍ୟକ।ତେଣୁ ପୁରୀ ଜିଲ୍ଲାରେ ବ୍ୟାପକ ସଚେତନତା ମାଧ୍ୟମରେ ଏହାକୁ ସଫଳ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପରାମର୍ଶ ଦେଇଛନ୍ତି।ଅପରାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଧାର କାର୍ଡ ଅପଡେସନ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି ଯେ ଏହା ବ୍ୟାଙ୍କ ଆକାଉଣ୍ଟ ଖୋଲିବା,ରାସନ ସାମଗ୍ରୀ ନେବା, ଛାତ୍ର ବୃତ୍ତି ପାଇବା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରେ ସହାୟକ ହେଉଛି ଓ ଜନ ସାଧାରଣ ଙ୍କ ସୁରକ୍ଷା ପାଇଁ ସରକାର ଏହାକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି ତେଣୁ ବ୍ୟାପକ ଜାଗରଣ ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବାକୁ ସେ ମତ ଦେଇଥିଲେ।ବିସ୍ତୃତ ସୂଚନା ଦେଇ ୟୁଆଇଡିଏଆଇ ର ସହକାରୀ ପରିଚାଳକ ତଥା ରାଜ୍ୟ ପ୍ରତିନିଧି ଆକିରାଲା ଶ୍ରବଣ କୁମାର ପ୍ରାୟ ସମସ୍ତ ସରକାରୀ ଯୋଜନା ର ଲାଭ,ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡ ର ସୁବିଧା, ଋଣ ଆବେଦନ ବ୍ୟାଙ୍କ ଦ୍ଵାରା ଶିଘ୍ର ପ୍ରକ୍ରିୟା କରଣ,ଇନକମ ଟ୍ୟାକ୍ସ ରିଟର୍ଣ୍ଣିଂ ସହାୟତା ପାଇଁ ଆଧାର ଅପଡେସନ ସହ ମୋବାଇଲ ସଂଯୋଗର ଆବଶ୍ୟକତା ରହିଛି ବୋଲି ସୂଚନା ଦେଇଥିଲେ।ଅନଲାଇନ myaadhar.uidai.gov.in ରେ ଅପଡେସନ କରାଯାଇପାରିବ।ଅଫଲାଇନ ରେ ପୋଷ୍ଟ ଅଫିସ, ବ୍ଲକ, ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ମଧ ଏହା କରାଯାଉଛି ବୋଲି ଜିଲ୍ଲା ଇ ଗଭର୍ଣ୍ଣାନ୍ସ ମ୍ୟାନେଜର ପିୟୁଷ ଚକ୍ରବର୍ତ୍ତୀ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ଡିଏସପି ଅଶ୍ମୀତା ପାରମିତା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ,ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା,ଏଲଡିଏମ କିଶୋର କୁମାର ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର ଓ ଡାକ ବିଭାଗ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଆଧାର ସଚେତନତା ପୋଷ୍ଟର ଓ ଲିଫଲେଟ ଉନ୍ମୋଚନ କରାଯାଇଥିଲା।