-
ଷଷ୍ଠ ଦିନରେ କ୍ରାଇମବ୍ରାଂଚ ଟିମ୍ ର ଛାନଭିନ୍ ଜାରୀ
ବଲାଙ୍ଗିର, ବଲାଙ୍ଗିର ଜାଲ୍ ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଂଚ ପକ୍ଷରୁ ତଦନ୍ତ ଜାରୀ ରହିଛି । ତଦନ୍ତର ଷଷ୍ଠ ଦିନରେ ଆଜି କ୍ରାଇମବ୍ରାଂଚ ଟିମ୍ ଜାଲ୍ ସାର୍ଟିଫିକେଟ ରାକେଟର ମୁଖ୍ୟ ତଥା ରିଲାଏନ୍ସ ଏଜୁକେସନାଲ କମ୍ପେ୍ଲକ୍ସର ମାଲିକ ମନୋଜ କୁମାର ମିଶ୍ରଙ୍କ ପତ୍ନୀ ଏବଂ ମନୋଜଙ୍କ ସହଯୋଗୀ ଆଲୋକ ଉଦ୍ଗାତାଙ୍କ ପରିବାର ଲୋକଙ୍କୁ ବଲାଙ୍ଗିର ଟାଉନ୍ ଥାନାକୁ ଡକାଇ ଘଟଣା ବାବଦରେ ପଚରା ଉଚୁରା ଚଳାଇଛି ।
ଡିଏସପି ଡି.ଏସ. ଚକ୍ରଙ୍କ ନେତୃତ୍ଵରେ କ୍ରାଇମବ୍ରାଂଚର ଏକ ୫ ଜଣିଆ ଟିମ୍ ମାମଲାର ତଦନ୍ତ କରୁଥିବା ବେଳେ ଇନ୍ସପେକ୍ଟର ମମତାରାଣୀ ପଣ୍ଡାଙ୍କ ନେତୃତ୍ଵରେ କ୍ରାଇମବ୍ରାଂଚର ଅନ୍ୟ ଏକ ଟିମ୍ ଏହି ଟିମ୍ କୁ ତଦନ୍ତରେ ସହଯୋଗ କରିବା ପାଇଁ ଗତକାଲି ବଲାଙ୍ଗିରରେ ପହଂଚିଛି । ସେହିପରି କ୍ରାଇମବ୍ରାଂଚ ଆଇଜି ଅମିତେନ୍ଦ୍ର ସିହ୍ନା ଗତକାଲି ବଲାଙ୍ଗିରରେ ପହଂଚି ତଦନ୍ତ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଅନୁରୂପ ଭାବେ ଗତକାଲି କ୍ରାଇମବ୍ରାଂଚ ଟିମ୍ ବଲାଙ୍ଗିର ମୁଖ୍ୟ ଡ଼ାକଘରକୁ ଯାଇ ଅଧିକ୍ଷକଙ୍କ ସହିତ ଘଟଣା ସମ୍ପର୍କରେ ବିଶେଷ ଆଲୋଚନା କରିବା ସହ ଯେଉଁ ୩୮ ଜଣଙ୍କ ନାମରେ ନକଲି ସାର୍ଟିଫିକେଟ ନେଇ ଅଭିଯୋଗ ହୋଇଥିଲା ସେସବୁ ସାର୍ଟିଫିକେଟର ନକଲ ସଂଗ୍ରହ କରିଛି । ଏଥି ସହିତ ନିଯୁକ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନ ଠାରୁ ଆରମ୍ଭ କରି ମେରିଟ୍ ଲିଷ୍ଟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାର ତଥ୍ୟ ସଂଗ୍ରହ କରିଛି ।
ପ୍ରକାଶ ଥାଉକି, ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋଜ କୁମାର ମିଶ୍ର ଏବଂ ତା’ର ସହଯୋଗୀ ଆଲୋକ ଉଦ୍ଗାତାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗିର ଟାଉନ ଥାନା ପୋଲିସ । ଚଢ଼ଉ ବେଳେ ସମ୍ପୃକ୍ତ ସଂସ୍ଥାରୁ ୧ ହଜାରରୁ ୫ ହଜାର ନକଲି ସାର୍ଟିଫିକେଟ ଜବତ ହୋଇଥିଲା । ଏଥିସହିତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଜାଲ୍ ସାର୍ଟିଫିକେଟ ରାକେଟ ସକ୍ରିୟ ଥିବା ଜଣାପଡିଥିଲା । ତେବେ ଏହି ଜାଲ୍ ସାର୍ଟିଫିକେଟ ରାକେଟର ଚେର କେତେ ଦୂର ଲମ୍ବିଛି ସେନେଇ ଛାନଭିନ୍ ଜାରୀ ରଖିଛି କ୍ରାଇମବ୍ରାଂଚ । ସମ୍ପୃକ୍ତ ଇନଷ୍ଟିଚ୍ୟୁଟରୁ ମିଳିଥିବା ଡାଏରୀରୁ ନିଯୁକ୍ତି ପାଇଥିବା ଅନେକଙ୍କ ନାମ, କିଏ କେଉଁଠି ଏବଂ କେଉଁ ବିଭାଗରେ ନିଯୁକ୍ତି ପାଇଛନ୍ତି, କିଏ କେତେ ଅର୍ଥ ଦେଇଛନ୍ତି, କାହା ମାର୍ଫତରେ ନକଲି ସାର୍ଟିଫିକେଟ ଦିଆଯାଇଛି ତାହା ଜଣାପଡିଛି, ଯାହାକି ଆଗକୁ କ୍ରାଇମବ୍ରାଂଚକୁ ତଦନ୍ତରେ ସହଯୋଗ କରିବ ।