ଗଞ୍ଜାମ, ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ମାମଲାର ବିଚାରଣା କରି ବ୍ରହ୍ମପୁର ସ୍ଵତନ୍ତ୍ର ପୋକସୋ କୋର୍ଟ ଜଜ୍ ପ୍ରଭାତ କୁମାର ରାଜଗୁରୁ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ଦିଗପହଣ୍ଡି ଥାନା ଅନ୍ତର୍ଗତ ନୂଆଅନନ୍ତେଇ ଗ୍ରାମର ବଳରାମ ଗୌଡ଼ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତକୁ ଅଧିକ ୨ ବର୍ଷ ୩ ମାସ କାରାଦଣ୍ଡ ନେଇ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ ପାଇଁ ଡିଏଲଏସଏକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଭିଯୁକ୍ତ ବଳାରାମ ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ୨୦୧୫ ଜାନୁଆରୀ ୧୪ରେ ସଦର ଥାନା ଅଂଚଳର ଜଣେ ନାବାଳିକାକୁ ଚେନ୍ନାଇରେ ପାଠ ପଢାଇବାକୁ କହି ଅପହରଣ କରି ନେଇଥିଲା । କିନ୍ତୁ, ସେଠାରେ ତାକୁ ଦିନ ମଜୁରିଆ ଭାବେ ନିୟୋଜିତ କରିବା ସହ ବଳପୂର୍ବକ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ଗର୍ଭବତୀ ହେବାରୁ ସେହିବର୍ଷ ମଇ ୨୮ ରେ ବଳରାମ ନାବାଳିକାଙ୍କୁ ଆଣି ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ନିକଟରେ ଏକ ଅର୍ଦ୍ଧନିର୍ମିତ ଘରେ ରଖିଥିଲା । ସେଠାରେ ତାକୁ ଖାଇବାକୁ ନଦେଇ ମାରପିଟ୍ କରୁଥିଲା । ଏବଂ ଗର୍ଭପାତ କରାଇବା ପାଇଁ ଔଷଧ ଖୁଆଇଥିଲା । ନାବାଳିକାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରି ନାବାଳିକାଙ୍କ ମାଙ୍କୁ ଖବର ଦେଇଥିଲା ବଳରାମ । ମା ଆସି ଡାକ୍ତରଖାନାରେ ଝିଅକୁ ଦେଖିଥିଲେ । କିନ୍ତୁ, ହଠାତ୍ ବଳରାମ ନାବାଳିକାକୁ ଡାକ୍ତରଖାନାରୁ ନେଇ ରାଳବ ସ୍ଥିତି ସେହି ଅର୍ଦ୍ଧନିର୍ମିତ ଘରେ ଛାଡି ଫେରାର୍ ହୋଇଯାଇଥିଲା । ଖବର ପାଇ ପୀଡ଼ିତାଙ୍କ ମା ସେଠାରେ ପହଂଚି ଝିଅକୁ ଉଦ୍ଧାର କରିଥିଲେ । ପରେ ସେ ଏ ସମ୍ପର୍କରେ ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତ ବଳରାମକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାର ବିଚାରଣା ବେଳେ ୧୬ ଜଣଙ୍କ ସାକ୍ଷ୍ୟଗ୍ରହଣ କରାଯାଇ ବିଚାରପତି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।