ଗଞ୍ଜାମ,ବ୍ରହ୍ମପୁରର ଇଷ୍ଟଦେବୀ ମା ବୁଢୀ ଠାକୁରାଣୀ ମଙ୍ଗଳବାର ରାତି ଦୁଇଟା ସମୟରେ ପିତ୍ରାଳୟରେ ପହଂଚିଥିଲେ । ମାଙ୍କ ପିତା ତଥା ଦେଶୀ ବେହେରା ପାତଲା ଦୁର୍ଗାପ୍ରସାଦ ଏକ ବିରାଟ ପଟୁଆରରେ ମଙ୍ଗଳବାର ରାତି ଏଗାରଟା ସମୟରେ ଠାକୁରାଣୀ ମନ୍ଦିରକୁ ଯାଇ ମାକୁ ନିମନ୍ତ୍ରଣ ଓ ଆବାହନ କରିଥିଲେ । ରାତି ୨ଟା ସମୟରେ ମାଙ୍କ ଆଜ୍ଞାମାଳକୁ ଚାଂଗଡାରେ ହଜାର ହଜାର ସଂଖ୍ୟାରେ ଜନସମାଗମ ତଥା ପଟୁଆରରେ ମନ୍ଦିରଠାରୁ ଆଣି ଦେଶୀ ବେହରାସାହିସ୍ଥିତ ନିର୍ମିତ ସ୍ଵତନ୍ତ୍ର ପିଣ୍ଡିରେ ସ୍ଥାପନ କରାଯାଇଛି । ବୁଧବାର ଥିଲା ମାଙ୍କ ବିଶ୍ରାମ ଦିନ । ଆଜି ମା ଘଟରେ ପ୍ରବେଶ କରି ସାହି ଓ ନଗର ପରିକ୍ରମା କରିବେ ।
ମା ବୁଢୀଠାକୁରାଣୀଙ୍କ ଚଳିତ ବର୍ଷ୨୮ଦିନିଆ ଯାତ୍ରା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଗତକାଲି ଓ ଆଜି ସକାଳେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମା ବୁଢୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିଛନ୍ତି । ଯାତ୍ରାଲାଗି ବ୍ରହ୍ମପୁର ସହର ଓ ଗଞ୍ଜାମ ଜିଲାରେ ବେଶ୍ ଉତ୍ସାହ ଓ ଉଦ୍ଦିପନା ସୃଷ୍ଟି ହୋଇଛି ।