ବଲାଙ୍ଗିର, ଗତକାଲି ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରି ତାଙ୍କର ସୁଟକେଶରୁ ୪୪,୭୦୦ ଟଙ୍କା ଲୁଟି ନେଇଥିଲେ ଦୁର୍ବୁତ। ସୁଟକେଶ ସହ ଲୁଟ ଟଙ୍କାକୁ ଉଦ୍ଧାର କରିଛି ଲାଠୋର ପୋଲିସ। ବୃଦ୍ଧାଙ୍କୁ ବେକକୁ ଯେଉଁ ପନିକିରେ ଦୁର୍ବୁତମାନେ ଆକ୍ରମଣ କରିଥିଲେ ତାକୁ ମଧ୍ୟ ପୋଲିସ ଜବତ କରିଛି। ଘଟଣାରେ ଅଭିଯୁକ୍ତ ଯୁଗଳ ଗାଲ (୨୮)କୁ ଭାରତୀୟ ଦଣ୍ଡ ବିଧି ଆଇନର ୪୫୨/ ୩୯୪ ଓ ୩୦୭ ଦଫାରେ ଗିରଫ କରି କେସ ନମ୍ବର ୮/୨୩ ରୁଜୁ କରାଯାଇ ଆଜି ତାକୁ କୋର୍ଟରେ ହାଜର କରାଯିବ ବୋଲି ଲାଠୋର ଆଇଆଇସି ଝାସକେତନ ଭୋଇ ପ୍ରକାଶ କରିଛନ୍ତି।
ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଂଚାୟତ ଅନ୍ତର୍ଗତ ବର୍ତିଆ ଗ୍ରାମରେ ଗତକାଲି ଜଣେ ୫୫ ବର୍ଷିଆ ବୃଦ୍ଧାଙ୍କୁ ପନିକିରେ ଆକ୍ରମଣ କରି ଜଣେ ଯୁବକ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଆକ୍ରମଣକାରୀ ବୃଦ୍ଧାଙ୍କ ଠାରୁ ଟଙ୍କା ଏବଂ ସୁନା ଗହଣା ଲୁଟ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି ।
ଖବରରୁ ଜଣାପଡିଛି ଯେ, ବର୍ତିଆ ଗ୍ରାମର କର୍ଣ୍ଣ ନାଗଙ୍କ ପତ୍ନୀ ରୁକ୍ମିଣୀ ନାଗ ବୁଧବାର ଘରେ ଥିବା ସମୟରେ ଗ୍ରାମର ଯୁଗଳ ଗାଲ ଘରକୁ ଆସି ରୁକ୍ମିଣୀଙ୍କୁ ୫ ହଜାର ଟଙ୍କା ଉଧାର ମାଗିଥିଲେ । ରୁକ୍ମିଣୀଙ୍କ ସହିତ ଯୁଗଳଙ୍କର ସୁସମ୍ପର୍କ ରହିଥିବାରୁ ରୁକ୍ମିଣୀ ତାଙ୍କୁ ସାଙ୍ଗେ ସାଙ୍ଗେ ୫ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ। ତାଙ୍କ ପାଖରେ ବହୁତ ଟଙ୍କା ଅଛି ବୋଲି ଯୁଗଳ ଜାଣିଥିଲା। କାରଣ ଯୁଗଳସେ ଗ୍ରାମରେ ଗ୍ରୁପ ରୁଣ ଟଙ୍କା ସଂଗ୍ରହ ଦାୟିତ୍ଵରେ ଥିବାରୁ ସେ ଲୋଭରେ ପଡି ରୁକ୍ମଣୀ ଘରେ ପନିକିରେ ପରିବା କାଟୁଥିବା ବେଳେ ସେ ତାଙ୍କୁ ଆକ୍ରମଣ କରିବା ସହ ଟଙ୍କା ଲୁଟ କରି ସେ ସ୍ଥାନ ଛାଡି ପଳାଇ ଯାଇଥିଲେ । ଯୁଗଳ ହଠାତ୍ ରୁକ୍ମିଣୀଙ୍କ ଘରକୁ ଆସି ରୁକ୍ମଣୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଯୁଗଳ ରୁକ୍ମଣୀଙ୍କ ବେକକୁ ଅସ୍ତ୍ରରେ ଭୁଷି ଦେଇଥିବା ବେଳେ ରୁକ୍ମଣୀ ବଡ ପାଟିରେ ଚିତ୍କାର କରିଥିଲେ । ଏହି ସମୟରେ ଆକ୍ରମଣକାରୀ ଟଙ୍କା ଏବଂ ସୁନା ଗହଣା ରୁକ୍ମଣୀଙ୍କ ଠାରୁ ନେଇ ପଳାଇ ଯାଇଥିଲେ । ପରେ ଗ୍ରାମବାସୀ ଯୁବକଙ୍କୁ ଧରି ଲାଠୋର ପୋଲିସକୁ ଖବର ଦେଇଥିଲେ । ଲାଠୋର ଥାନା ଅଧିକାରୀ ଝସକେତନ ଭୋଇ ବର୍ତିଆ ଗ୍ରାମରେ ପହଂଚି ଆକ୍ରମଣକାରୀ ଯୁଗଳକୁ ଧରି ଥାନାକୁ ନେଇଥିଲେ । ଅନ୍ୟପକ୍ଷରେ ଆହତ ରୁକ୍ମିଣୀଙ୍କୁ ଗ୍ରାମବାସୀ ପାଟଣାଗଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ ।
ସୂଚନାଯୋଗ୍ୟ ଯେ, ରୁକ୍ମଣୀଙ୍କ ପୁଅ ଓ ବୋହୂ ଦାଦନ ଖଟିବାକୁ ଯାଇଥିବା ବେଳେ ସେମାନେ ପାଇଥିବା ଅଗ୍ରୀମ ଟଙ୍କା ସବୁ ରୁକ୍ମଣୀଙ୍କୁ ଦେଇ ଯାଇଛନ୍ତି । ରୁକ୍ମଣୀ ଏବଂ ତାଙ୍କ ସ୍ଵାମୀ କର୍ଣ୍ଣ ଘରେ ଏକୁଟିଆ ରହନ୍ତି । ରୁକ୍ମଣୀ ବାହାରକୁ ଗଲେ ଟଙ୍କା ଏବଂ ସୁନା ଗହଣା ଯୁଗଳ ପାଖରେ ରଖିଯାଆନ୍ତି ବୋଲି ମଧ୍ୟ ଖବର ମିଳିଛି । ଟଙ୍କା ଏବଂ ସୁନା ଗହଣା ପ୍ରତି ଯୁଗଳଙ୍କର ହଠାତ୍ ଲୋଭ ହେବାରୁ ସେ ରୁକ୍ମଣୀଙ୍କୁ ହତ୍ୟା କରିବା ସହିତ ଏହି ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେବା ପାଇଁ ଯୋଜନା କରିଥିଲା ବୋଲି ଚର୍ଚ୍ଚା ହେଉଛି । ଲାଠୋର ପୋଲିସ ଗ୍ରାମରେ ପହଂଚି ଆହତ ରୁକ୍ମିଣୀଙ୍କଠାରୁ ବୟାନ ରେକର୍ଡ କରିଛି । ଯୁଗଳ ତାଙ୍କଠାରୁ ନଗଦ ୪୨ ହଜାର ଟଙ୍କା ସହିତ ସୁନା ଗହଣା ଲୁଟ୍ କରି ନେଇଯାଇଥିବା ରୁକ୍ମଣୀ ପୋଲିସ ଆଗରେ ଅଭିଯୋଗ କରିଛନ୍ତି । ଲାଠୋର ପୋଲିସ ଯୁଗଳକୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସହିତ ଏହି ଘଟଣାର ଅଧିକ ତଦନ୍ତ ପରେ ଯୁଗଳ ପୋଲିସ ପାଖରେ ସବୁ ସତ ସ୍ଵୀକାର କରିବା ସହିତ ପୋଲିସକୁ ଲୁଚାଇ ରଖିଥିବା ଟଙ୍କା ଓ ଅସ୍ତ୍ର ଦେଖାଇଥିବା ଜଣାପଡିଛି ।