ଟୋକିଓ/ଭୁବନେଶ୍ୱର, ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନିପନ୍ ଷ୍ଟିଲ୍ କର୍ପୋରେସନର କିମିସୁ ଷ୍ଟିଲ୍ ୱାର୍କସ୍ ପରିଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ମଧ୍ୟ ନିପନ୍ ଷ୍ଟିଲ୍ ବୁଲି ଦେଖିଛନ୍ତି । ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ଏନଏସସିର କିମିସୁ ଷ୍ଟିଲ ୱାର୍କରେ ଇସ୍ପାତ ଉତ୍ପାଦନରେ ବ୍ୟବହୃତ ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ପ୍ରକ୍ରିୟା ବିଷୟରେ ବୁଝିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତା ମାଧ୍ୟମରେ କହିଛନ୍ତି ଯେ ଟୋକିଓ ସ୍ଥିତ ନିପନ ଷ୍ଟିଲ ପ୍ଲାଂଟ ବୁଲି ଦେଖିବା ବେଳେ ପରିବେଶ ଉପଯୋଗୀ ପଦକ୍ଷେପ ଦେଖି ବହୁତ ଖୁସି ହେଲି । ଗ୍ରୀନ ଟେକ୍ନୋଲୋଜି ଉପଯୋଗରେ ଷ୍ଟିଲ ଉତ୍ପାଦନରେ ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସହଯୋଗରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ହେବାକୁଯାଉଥିବା ଷ୍ଟିଲ ପ୍ଲାଂଟ ନେଇ ମୁଁ ବହୁତ ଆଶାବାଦୀ ।
ମୁଖ୍ୟମନ୍ତ୍ରୀ ପୂର୍ବରୁ ନିପନ୍ ଷ୍ଟିଲ୍ କର୍ପୋରେସନ୍ ଅଧ୍ୟକ୍ଷ ଇଜି ହାସିମୋଟାଙ୍କୁ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ରାଜ୍ୟରେ ନିପନ୍ କମ୍ପାନି ବାର୍ଷିକ ୩୦ ନିୟୁତ ଟନ୍ କ୍ଷମତାବିଶିଷ୍ଟ ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବ । ଏନେଇ କମ୍ପାନି ଯୋଜନା ରଖିଥିବା ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ହାସିମୋଟା ଓ ତାଙ୍କ ଟିମକୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ।