
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ବଡଦାଣ୍ଡ ଗ୍ରାଣ୍ଡ ରୋଡ଼ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି କାଣ୍ଡ ଘଟଣାର କାରଣ, ନିରାକରଣ ଏବଂ ଭବିଷ୍ୟତ ପାଇଁ ମାର୍ଗଦର୍ଶିକା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅଗ୍ନି କାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ।ମାର୍ଚ୍ଚ ୮ ତାରିଖ ହୋଲି ଦିନ ପ୍ରାୟ ରାତି ୮ ଟା ସମୟରେ ବିଦ୍ୟୁତ ସଟ ସର୍କିଟରୁ ଅଗ୍ନି କାଣ୍ଡ ଘଟିଥିଲା।ଏହି କମ୍ପ୍ଲେକ୍ସ ର ତଳ ମହଲାରେ ୪୩ ଟି ବ୍ୟବସାୟିକ ଦୋକାନ, ପ୍ରଥମ ମହଲାର ବାମ ପାର୍ଶ୍ଵରେ ସପିଙ୍ଗ ମଲ ଓ ଡାହାଣ ପାର୍ଶ୍ଵରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ରହିଥିଲା।ଦ୍ୱିତୀୟ ଓ ତୃତୀୟ ମହଲାରେ ହୋଟେଲ ସମ୍ରାଟ ରହିଥିଲା।ଏହି ହୋଟେଲରେ ରହୁଥିବା ମହାରାଷ୍ଟ୍ରର ଓ ଗଞ୍ଜାମ ହିଞିଳିକାଟୁର ପର୍ଯ୍ୟଟକ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହ ସେମାନଙ୍କ ସାମଗ୍ରୀ ଗୁଡିକ ମଧ ପରବର୍ତ୍ତୀ ସମୟରେ ଉଦ୍ଧାର କରାଯାଇଥିଲା ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ।ଜିଲ୍ଲା
ଅଗ୍ନିଶମ ଅଧିକାରୀ ନାରାୟଣ ଦାସ ଏହି ନିଆଁ ଲିଭାରେ ୧୧ଟି ଅଗ୍ନି ନିର୍ବାପକ ଗାଡି,୨୦୦ କର୍ମଚାରୀ,୩୬ ଘଣ୍ଟା ଲାଗି ନିଆଁକୁ ଆୟତ୍ତ କରିଥିଲେ ।ଯେହେତୁ ଏହି ବିଲ୍ଡର ତିନି ପାର୍ଶ୍ଵରୁ ପ୍ରବେଶ ସୁବିଧା ନ ଥିଲା ସେଥିପାଇଁ କେବଳ ସମ୍ମୁଖ ଭାଗରୁ ହିଁ ନିଆଁ ଲିଭା ଉଦ୍ୟମ କରାଯାଇଥିଲା ବୋଲି କହିଥିଲେ।
ଉପଜିଲ୍ଲାପାଳ ଭବତାରଣ ସାହୁ ରଥଯାତ୍ରା ପୂର୍ବରୁ ବଡଦାଣ୍ଡରେ ଥିବା ସମସ୍ତ ବିଲଡିଙ୍ଗ ଗୁଡ଼ିକ ର ସମୀକ୍ଷା କରାଯିବା ସହ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦେଇଥିଲେ। ବିସ୍ତୃତ ଆଲୋଚନା ପରେ ଓସଡାମାର ଜିଏମ ମଳୟ ପ୍ରଧାନ ତୃଟି ରୁ ଶିକ୍ଷା ଲାଭ ଓ ଭବିଷ୍ୟତରେ ଯେପରି ଏଭଳି ଦୁର୍ଘଟଣା ନ ହେବ ସେଥିପ୍ରତି ସମସ୍ତେ ସତର୍କ ରହିବା ଉଚିତ ବୋଲି କହିଥିଲେ।ଏକ ଯୁଗ୍ମ ଟିମ ବିଲ୍ଡିଂ ନିର୍ମାଣ ବୈଷୟିକ ଅଧିକାରୀ, ଫାୟାର ଅଧିକାରୀ, ବିଦ୍ୟୁତ ବିଭାଗ, ବିଲଡିଙ୍ଗ ନିର୍ମାଣ ଅନୁମତି ଦେଉଥିବା ଅଧିକାରୀ ମାନଙ୍କୁ ନେଇ ବିଲ୍ଡିଂ ର ପୂର୍ଣ୍ଣାଙ୍ଗ ଅଡିଟ କରିବାକୁ ସେ ମତ ଦେଇଥିଲେ।୨୦୧୭ ପୂର୍ବର ଓ ୨୦୧୭ ପରର ବିଲଡିଙ୍ଗ ଗୁଡିକର ନିୟମ ଅନୁସାରେ ସମୀକ୍ଷା ହେବା ଜରୁରୀ ବୋଲି ସେ କହିଥିଲେ।ଓସଡାମାର ଅନ୍ୟତମ ଜିଏମ ଡଃ ସୁନିତା ଜେନା,ଡିଜିଏମ ସୁନିଲ କୁମାର ସାହୁ ଫାୟାର ଅଡିଟ, ନିର୍ଵାପକ ବ୍ୟବସ୍ଥା ସମ୍ପର୍କରେ ମକଡ୍ରିଲ ମାଧ୍ୟମରେ ସମସ୍ତଙ୍କୁ ଶିକ୍ଷା ଓ ସଚେତନତା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସ ପି ମିହିର କୁମାର ପଣ୍ଡା, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଏଡିଏମଓ ଡା ବିରଜା ଶଙ୍କର ରଥ,ସହକାରୀ ଜିଲ୍ଲାପାଳ ରାଜ ବଲ୍ଲଭ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।