ଭୁବନେଶ୍ୱର, ଦେବଗଡରେ ଗତକାଲି ବିଳମ୍ବିତ ରାତ୍ରୀରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା କୁହା ଯାଉଛି । ମୃତ ମହିଳା କର୍ମଚାରୀ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ରୀତା ସାହୁ ବୋଲି ଜଣାପଡ଼ିଛି। ଦେବଗଡ଼ ଜିଲ୍ଲା ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରୁ ରୀତାଙ୍କ ମୃତଦେହ ଉଦ୍ଧାର ହୋଇଛି।
ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ଅଫିସରୁ କାମ ସାରି ରୀତା ସ୍କୁଟିରେ ଭିତିରିଆ ସାହି ଠାରେ ଥିବା ଭଡ଼ା ଘରକୁ ବାହାରିଥିଲେ। ଏହି ସମୟରେ ଅଫିସ ସମ୍ମୁଖରେ ୨ ଜଣ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ପ୍ରଥମେ ଛୁରୀ ଓ କାଠ ଫାଳିଆରେ ଯୁବକ ଦ୍ୱୟ ରୀତାଙ୍କୁ ଆକ୍ରମଣ କରିଥିଲେ। ପରେ ପଥରରେ ଛେଚି ହତ୍ୟା କରିବା ପରେ ଘଟଣାସ୍ଥଳରୁ ୨ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।