
-
ଏସସିଏସଟି ଓ ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦିଗରେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ : ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ
-
ଉଦ୍ୟୋଗୀ, ସେମାନଙ୍କ କର୍ମଚାରୀ ଓ ପରିବାରର ଜୀବନଧାରଣ ମାନରେ ସୁଧାର ଆଣିବା କ୍ଷେତ୍ରରେ ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନାର ପ୍ରମୁଖ ଭୂମିକା ରହିଛି : ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଶନରାଓ କରାଡ଼
ନୂଆଦିଲ୍ଲୀ ,ଆର୍ଥିକ ସଶକ୍ତିକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଧ୍ୟାନ ଦେଇ ତୃଣମୂଳସ୍ତରରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୫ ଏପ୍ରିଲ ୨୦୧୬ରେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାର କାର୍ଯ୍ୟକାଳକୁ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳା ସମ୍ପ୍ରଦାୟର ଆକାଂକ୍ଷୀ ଉଦ୍ୟୋଗୀମାନେ ସମ୍ମୁଖିନ ହେଉଥିବା ସମସ୍ୟାକୁ ଆଖି ଆଗରେ ରଖି ସେମାନଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ଲାଗି ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା ଆରମ୍ଭ କରାଯାଇଥିଲା । ଏହି ଯୋଜନା ମହିଳା ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଲୋକମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କୁ ଉତ୍ପାଦନ, ସେବା କିମ୍ବା ବ୍ୟବସାୟିକ ଏବଂ କୃଷି ଆନୁସଙ୍ଗିକ କାର୍ଯ୍ୟକଳାପ କ୍ଷେତ୍ରରେ ନୂଆ ଉଦ୍ୟୋଗ ପ୍ରତିଷ୍ଠାରେ ସହାୟକ ହୋଇଥାଏ।
ଏହି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୧.୮ ଲକ୍ଷ ମହିଳା ଓ ଏସସି/ଏସଟି ଉଦ୍ୟୋଗୀଙ୍କୁ ୪୦,୬୦୦ କୋଟି ଟଙ୍କା ମଞ୍ଜୁର କରାଯିବା ଆମ ପାଇଁ ଗର୍ବ ଓ ସନ୍ତୋଷର ବିଷୟ।
ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନାର ୭ ବର୍ଷ ପୂର୍ତ୍ତି ଅବସରରେ ଅର୍ଥ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା ଏପରି ଏକ ଇକୋସିଷ୍ଟମ ସୃଷ୍ଟି କରିଛି ଯାହାକି ସବୁ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଜରିଆରେ ଋଣ ସହାୟତା ଯୋଗାଇ ଦେଇ ନୂଆ ଉଦ୍ୟୋଗ ପ୍ରତିଷ୍ଠା କରିବା ଲାଗି ଏକ ଅନୁକୂଳ ପରିବେଶ ଯୋଗାଇ ଦେଉଛି ଏବଂ ଆଗକୁ ମଧ୍ୟ ଏହା ଏପରି ପରିବେଶ ଯୋଗାଇ ଦେବ । ଏସସିଏସଟି ଓ ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦିଗରେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।
ଶ୍ରୀମତୀ ସୀତାରମଣ କହିଛନ୍ତି ଯେ, ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନାରେ ବଞ୍ଚିତ/ଅବହେଳିତ ବର୍ଗର ଉଦ୍ୟୋଗୀମାନଙ୍କୁ ବାଧାମୁକ୍ତ ଶସ୍ତା କ୍ରେଡିଟ୍ ସୁବିଧା ଯୋଗାଇ ଦେଇ ସଂଖ୍ୟାଧିକ ଲୋକଙ୍କ ଆଶାଆକାଂକ୍ଷା ପୂରଣ କରୁଛି । ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ଆକାଂକ୍ଷୀ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଉଦ୍ୟମଶୀଳତା କୌଶଳ ପ୍ରଦର୍ଶନ କରିବା ଓ ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କୁ ଆର୍ଥିକ ବିକାଶକୁ ଆଗେଇ ନେବା ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଏକ ଦୃଢ଼ ଇକୋସିଷ୍ଟମ ନିର୍ମାଣ କରିବାକୁ ପ୍ରୋତ୍ସାହନ ଦେଉଛି ।
ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନାର ସାତ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଶନ ରାଓ କରାଡ଼ କହିଛନ୍ତି ଯେ, ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା ଜାତୀୟ ଆର୍ଥିକ ଅନ୍ତର୍ଭୂକ୍ତିକରଣ ବିଶନର ତୃତୀୟ ସ୍ତମ୍ଭ ଉପରେ ଆଧାରିତ ଯାହାକି ‘‘ପାଣ୍ଠିରୁ ବଞ୍ଚିତକୁ ପାଣ୍ଠିଯୋଗାଣ’’ ଉପରେ ଧ୍ୟାନ ଦେଇଥାଏ। ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଜରିଆରେ ଏସସି/ଏସଟି ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ବାଧାମୁକ୍ତ ଋଣ ଯୋଗାଇ ଦେଇ ଉଦ୍ୟୋଗୀ, ସେମାନଙ୍କ କର୍ମଚାରୀ ଓ ପରିବାରର ଜୀବନଧାରଣ ମାନରେ ସୁଧାର ଆଣିବା କ୍ଷେତ୍ରରେ ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନାର ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ଡକ୍ଟର କରାଡ଼ କହିଛନ୍ତି ଯେ ଏହି ଯୋଜନା ଦ୍ୱାରା ଗତ ୭ ବର୍ଷ ମଧ୍ୟରେ ୧.୮ ଲକ୍ଷ ଉଦ୍ୟୋଗୀ ଲାଭାନ୍ୱିତ ହୋଇଛନ୍ତି । ଏବେ ସୁଦ୍ଧା ୮୦% ଋଣ ମହିଳାମାନଙ୍କୁ ଯୋଗାଇ ଦିଆଯିବା ଖୁସିର ବିଷୟ ବୋଲି ଡକ୍ଟର କରାଡ଼ କହିଛନ୍ତି ।