ଭୁବନେଶ୍ୱର, ରାଜ୍ୟରେ ପୁଂଜି ନିବେଶ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାପାନ ଗସ୍ତରେ ଯାଉଛି । ଏହି ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ପି କେ ଜେନା, ଶିଳ୍ପ ବିଭାଗର ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର ଓ ଇପିକଲର ପରିଚାଳନା ନିର୍ଦେଶକ ଭୂପେନ୍ଦ୍ର ପୁନିଆ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଓ ସ୍ୱତନ୍ତ୍ର ସଚିବ ଭିନିଲ କୃଷ୍ଣା ମଧ୍ୟ ଜାପାନ ଗସ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ଟୋକିଓରେ ପୁଞ୍ଜିନିବେଶକ ସମ୍ମିଳନୀରେ ଯୋଗଦେବା ସହ କ୍ୟୋଟୋ ଓ ଓସାକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ମିଳିଥିବା ସୂଚନା ଅନୁଯାୟୀ, ଏହି ଗସ୍ତରେ ମୁଖ୍ୟତଃ ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ଜାପାନର କେତେକ ଉଦ୍ୟୋଗୀଙ୍କ ସହ ଆଲୋଚନା କରିବେ। ଏହାସହ ଜାପାନ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଜାପାନ ସରକାର କିପରି ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ କରିବେ ସେନେଇ ବି ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି।