ଭୁବନେଶ୍ୱର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ ବିଜେଡିର ବିରୋଧ ପ୍ରସଙ୍ଗରେ ବିଜେପି ବିଧାୟକ ମାନେ ବିଜୁ ଜନତା ଦଳକୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ ବିରୋଧ କରି ଏହି ପ୍ରସଙ୍ଗରେ ବିଜେଡି ନେତା ମାନେ ଆନ୍ଧ୍ର ପ୍ରଦେଶର ଭାଷା କହୁଛନ୍ତି ବୋଲି ବିଜେପି ବିଧାୟକ ମାନେ ଏଠାରେ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଲଳିତେନ୍ଦୁ ମହାପାତ୍ର, ମୁକେଶ ମହାଲିଙ୍ଗ, ସୂର୍ଯ୍ୟବଂଶୀ ସୂରଜ, ସନାତନ ବିଜୁଳି ଉପସ୍ଥିତ ଥିଲେ ।
ସେମାନେ କହିଛନ୍ତି ଯେ କୋଟିଆ ପାଇଁ ରାଜ୍ୟ ସରକାର ଯେଉଁ ସରକାରୀ ପ୍ୟାକେଜ ଘୋଷଣା କରିଛନ୍ତି ତାହା କେବଳ ଏକ ପ୍ରଚାର । ବିଜେଡ଼ି ନେତା ମାନେ ମନ୍ତ୍ରୀଙ୍କ ଗସ୍ତ ଉପରେ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଅସହିଷ୍ଣୁ ହୋଇ ବିଜେଡ଼ି ନେତା ମାନେ ମତ ରଖିବା ଦୁର୍ଭାଗ୍ୟଜନକ । ସେଠାରେ ସ୍କୁଲର ପିଲାଙ୍କ ସହ ବନ୍ଦେ ଉତ୍କଳ ଜନନୀ ଗାନ କରିବା ଯଦି ଅପରାଧ, ତେବେ କେନ୍ଦ୍ର ମନ୍ତ୍ରୀ ବାରମ୍ବାର ଏହି ଅପରାଧ କରିବେ ବୋଲି କହିଛନ୍ତି ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର । ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ କହିଲେ, କେନ୍ଦ୍ରମନ୍ତ୍ରୀଙ୍କୁ ଦେଖି ନେବୁ । କିନ୍ତୁ ବିଜେଡ଼ି ନେତା ମାନେ ଦଳ ମତ ନିର୍ବିଶେଷରେ ଏକାଠି ହେବା ପରିବର୍ତ୍ତେ ଏଭଳି ମନ୍ତବ୍ୟ ଦେବା ଦୁସ୍ଥ ମାନସିକତାର ପରିଚୟ ବୋଲି କହିଲେ ବିଧାୟକ ମୁକେଶ ମହାଲିଙ୍ଗ ।