-
କ୍ରାଇମବ୍ରାଂଚ ଟିମ୍ ର ଛାନଭିନ୍ ଜାରୀ
ବଲାଙ୍ଗିର, ବଲାଙ୍ଗିର ଜାଲ୍ ସାର୍ଟିଫିକେଟ ମାମଲାରେ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ପରେ ଗତକାଲି ସଂନ୍ଧ୍ୟାରେ କ୍ରାଇମବ୍ରାଂଚର ଏକ ଟିମ୍ ବଲାଙ୍ଗିରରେ ପହଂଚି ତନାଘନା ଆରମ୍ଭ କରିଛି । ଜାଲ୍ ସାର୍ଟିଫିକେଟ ରାକେଟର ମୁଖ୍ୟ ତଥା ରିଲାଏନ୍ସ ଏଜୁକେସନାଲ କମ୍ପେ୍ଲକ୍ସର ମାଲିକ ମନୋଜ କୁମାର ମିଶ୍ର ଠାରୁ ଅଧିକ ତଥ୍ୟ ଆଦାୟ ପାଇଁ ଚେଷ୍ଟା କରିବ କ୍ରାଇମବ୍ରାଂଚ । ବଲାଙ୍ଗିର ସହିତ ଅନ୍ୟ ଜିଲ୍ଲା ଏବଂ ରାଜ୍ୟ ବାହାରକୁ ଏହି ଚେର ଲମ୍ବିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ତେବେ ଏହି ରାକେଟର ଚେର କେତଦୂର ଲମ୍ବିଛି ସେନେଇ ତଦନ୍ତ କରିବ କ୍ରାଇମବ୍ରାଂଚ । ଇନଷ୍ଟିଚ୍ୟୁଟରୁ ମିଳିଥିବା ଡାଏରୀରୁ ନିଯୁକ୍ତି ପାଇଥିବା ଅନେକଙ୍କ ନାମ, କିଏ କେଉଁଠି କେଉଁ ବିଭାଗରେ ନିଯୁକ୍ତି ପାଇଛନ୍ତି, କିଏ କେତେ ଅର୍ଥ ଦେଇଛନ୍ତି, କାହା ମାର୍ଫତରେ ନକଲି ସାର୍ଟିଫିକେଟ ଦିଆଯାଇଛି ତାହା ଜଣାପଡିଛି, ଯାହାକି ଆଗକୁ କ୍ରାଇମବ୍ରାଂଚକୁ ତଦନ୍ତରେ ସହଯୋଗ କରିବ । ଗତକାଲି ସଂନ୍ଧ୍ୟାରେ ଡିଏସପି ଡି.ଏସ. ଚକ୍ରଙ୍କ ନେତୃତ୍ଵରେ କ୍ରାଇମବ୍ରାଂଚର ଏହି ୫ ଜଣିଆ ଟିମ୍ ବଲାଙ୍ଗିରରେ ସଂନ୍ଧ୍ୟା ସାଢ଼େ ୭ଟାରେ ପହଂଚିବା ପରେ ବଲାଙ୍ଗିର ଏସପି ଅଫିସକୁ ଯାଇଥିଲେ । ଏସପି ନୀତିନ କୁଶଲକର କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ କ୍ରାଇମବ୍ରାଂଚର ଏହି ଟିମ୍ ଏସଡିପିଓ ତୋଫାନ ବାଗ, ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ, ଟାଉନ୍ ଥାନା ଆଇଆଇସି ବିଶ୍ଵଜିତ ମନବୋଧଙ୍କ ସହିତ ମାମଲା ସମ୍ପର୍କରେ ପ୍ରାୟ ଅଧ ଘଂଟା କାଳ ରୁଦ୍ଧଦ୍ଵାର ବୈଠକ କରିଥିଲେ । ପରେ କ୍ରାଇମବ୍ରାଂଚର ଏହି ଟିମ୍ ଏସପି ନୀତିନ କୁଶଲକରଙ୍କ ସହିତ ଆଲୋଚନା କରି ପୂର୍ତ ଡାକ ବଙ୍ଗଳାକୁ ବିଶ୍ରାମ ପାଇଁ ଯାଇଥିଲେ । ଆଜି ସକାଳୁ କ୍ରାଇମବ୍ରାଂଚ ଟିମ୍ ଟାଉନ ଥାନାରେ ପହଂଚି କେସ୍ ଟିକୁ ନିଜ ଦାୟୀତ୍ଵକୁ ନେବା ସହିତ ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଥାଉକି, ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋଜ କୁମାର ମିଶ୍ର ଏବଂ ତା’ର ସହଯୋଗୀ ଆଲୋକ ଉଦ୍ଗାତାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗିର ଟାଉନ ଥାନା ପୋଲିସ । ଚଢ଼ଉ ବେଳେ ସମ୍ପୃକ୍ତ ସଂସ୍ଥାରୁ ୧ ହଜାରରୁ ୫ ହଜାର ନକଲି ସାର୍ଟିଫିକେଟ ଜବତ ହୋଇଥିଲା । ଏଥିସହିତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଜାଲ୍ ସାର୍ଟିଫିକେଟ ରାକେଟ ସକ୍ରିୟ ଥିବା ଜଣାପଡିଥିଲା ।