
ବଲାଙ୍ଗିର, କବିତା ଯେତେବେଳେ ସ୍ବୟଂ ଈଶ୍ଵରଙ୍କ ପ୍ରତି ସମର୍ପିତ ହୁଏ, ସେତେବେଳେ କବି ଜଣକ ମଧ୍ୟ ତଲ୍ଲିନ ହୁଅନ୍ତି ଈଶ୍ଵରୀୟ ସତ୍ତା ମଧ୍ୟରେ । ପାଠକୀୟତା ଭାବଟିଏ ସ୍ଵତଃ ସେଇ କବିତା ମଧ୍ୟରେ ଅକ୍ଷର ଅକ୍ଷର ହୋଇ ଫୁଟି ଉଠେ ଅନ୍ତର୍ଚେତନାକୁ ଦୋହଲାଇ । କବି ଯୋଗେଶ ଚନ୍ଦ୍ର ମିଶ୍ରଙ୍କ କବିତା ସଂକଳନ ଉନ୍ମୋଚିତ ହେବା ଅବସରରେ ଅତିଥିଗଣ ଏପରି ଭାବମୟ ଉକ୍ତି ପରଶି ଥିଲେ । ସ୍ଥାନୀୟ ବାଳକ ହାଇସ୍କୁଲର ସଭାଗୃହରେ ଇ-ପତ୍ରିକା, ଚନ୍ଦ୍ରଶେଖରପୁର, ଭୁବନେଶ୍ଵର ଦ୍ଵାରା ଆୟୋଜିତ ପୁସ୍ତକ ଉନ୍ମୋଚନ ଓ କବିତା ପାଠୋତ୍ସବରେ ବରିଷ୍ଠ କବି ଭିକାରୀ ଚରଣ ମିଶ୍ର ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରବୀର କୁମାର ପଣ୍ଡା, ଶିଶୁ କବି ଡ. ଯୁଗଳ କିଶୋର ଷଡଙ୍ଗୀ ଓ ଶିକ୍ଷାବିତ୍ ବୃନ୍ଦାବନ ଷଡଙ୍ଗୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କ୍ରମରେ ଇ-ପତ୍ରିକାର ଦଶମ ସଂସ୍କରଣ ମଧ୍ୟ ଉନ୍ମୋଚିତ ହୋଇଥିଲା । ପ୍ରିୟ ଈଶ୍ଵରର କବି ଯୋଗେଶ ମିଶ୍ର ଏବଂ ଇ-ପତ୍ରିକାର ସମ୍ପାଦକ ସରୋଜ କୁମାର ଶତପଥୀ ମଂଚାସୀନ ଥିଲେ । ବରିଷ୍ଠ ଲେଖକ ଜ୍ୟୋତି ପ୍ରକାଶ ଗଡତ୍ୟା ସଭା ପରିଚାଳନା କରିଥିଲେ ।
ଦ୍ଵିତୀୟ ପର୍ଯ୍ୟାୟରେ ବ୍ୟଙ୍ଗ କବି ଟିକେଲାଲ ବେହେରାଙ୍କ ସଭାପତିତ୍ଵ ଏବଂ ଶର୍ମିଷ୍ଠା ମିଶ୍ର ତଥା କବି ପଂଚାନନ ତାଣ୍ଡିଙ୍କ ସଂଯୋଜନାରେ କବି ନରସିଂହ ସାହୁ, ଆଦିମୂଳ ଶତପଥୀ, ଦିଲ୍ଲୀପ କୁମାର ପଶାୟତ, ମାନସ ରଂଜନ ସାହୁ ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ ସରୋଜ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।