ମାଲକାନଗିରି, କାଳବୈଶାଖୀ ଝଡ଼ତୋଫାନ ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ସ୍ଥିତ ଫାଇଭ-ଟି ଅଧୀନ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟର ଟିଣଗୁଡିକ ଉଡାଇ ନେଇଛି। ବିଦ୍ୟାଳୟ ପରିସରରେ ଗଛଗୁଡିକ ଭାଙ୍ଗି ପଡିଥିବା ବେଳେ ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ଦ୍ରୁତ ଗତିରେ ପବନ ବହିଥିଲା। ଯାହାଫଳରେ ବିଦ୍ୟାଳୟରେ ଥିବା ୧୦ରୁ ଅଧିକ ଗଛ ଭାଙ୍ଗି ପଡିଥିଲା। ଏଥିସହ ପିଲାମାନେ ରହୁଥିବା ୪ଟି ହଷ୍ଟେଲ ଗୃହର ଟିଣକୁ ପବନ ଉଡାଇ ନେଇଥିଲା। ସମ୍ପୂର୍ଣ୍ଣ ଟିଣ ଉଡାଇ ନେଇଥିବା ବେଳେ ବର୍ଷା ପାଣି ଘର ଭିତରେ ପଶି ଯାଇଥିଲା। ଟିଣ ଉଡିବା ଓ ଗଛ ପଡିବାର ଦେଖି ବିଦ୍ୟାଳୟର ପିଲାମାନଙ୍କୁ ଛାତ ଘରକୁ ନିଆଯାଇଥିଲା। ପିଲାମାନେ ସୁରକ୍ଷିତ ଭାବେ ରହିଥିବା ବେଳେ ଘରେ ଥିବା ସମସ୍ତ ସାମଗ୍ରୀ ଓଦା ହୋଇଯାଇଥିଲା। ପିଲାଙ୍କ ଶୋଇବା ଶେଜ ସହ ବହି, ଖାତା, ପୋଷାକ ଓ ବ୍ୟବହାର ସାମଗ୍ରୀ ଓଦା ହୋଇ ନଷ୍ଟ ହୋଇଯାଇଛି। ବିଦ୍ୟାଳୟରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିବା ବେଳେ ଇନଭର୍ଟର ବ୍ୟବସ୍ଥା କରାଯାଇଛି। ବର୍ଷା ଛାଡିବା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ସେମାନେ ସେଠାରେ ପହଞ୍ଚି ଭାଙ୍ଗି ପଡିଥିବା ଗଛ ଡାଳ ଗୁଡିକୁ ସଫା କରିଛନ୍ତି। ସେହି ୪ଟି କୋଠରୀରେ ପାଖାପାଖି ୧୦୦ ପିଲା ରହୁଥିବା ବେଳେ ସେମାନଙ୍କୁ ଛାତ ଘରେ ନେଇ ରଖାଯାଇଛି।
ପ୍ରକାଶଥାଉକି, ଏହି ବିଦ୍ୟାଳୟକୁ ଫାଇଭ-ଟି ଅନ୍ତର୍ଭୁକ୍ତ କରାଯାଇ ସ୍ମାର୍ଟ କ୍ଲାସରୁମ ଓ ଲାଇବ୍ରେରୀ ଆଦି ନିର୍ମାଣ କରାଯାଇଥିଲା। ସେହି ସମୟରେ ହଷ୍ଟେଲ ଗୃହଗୁଡିକ ମଧ୍ୟ ମରାମତି କରାଯାଇଥିଲା।
ସେହିପରି କାଳବୈଶାଖୀ ଯୋଗୁଁ ପଦ୍ମଗିରି ପଞ୍ଚାୟତରେ ପ୍ରାୟ ୧୦୦ରୁ ଉର୍ଦ୍ଧ ଘରର ଚାଳ ଛପର ଉଡି ଯାଇଥିବା ଜଣାପଡିଛି।