କୁଜଙ୍ଗ- କୁଜଙ୍ଗ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ବନବିହାରୀ ସରକାରୀ ଉଚ୍ଚବିଦ୍ୟାଳୟ କୁଜଙ୍ଗ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ କୁଜଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ମୃତି ରଂଜନ ବେହେରା ଉଦଘାଟନ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ କୁଜଙ୍ଗ କଲେଜ ଅଧ୍ୟକ୍ଷ କ୍ଷୀରୋଦ ପ୍ରସାଦ ସାହୁ ଯୋଗ ଦେଇଥିଲେ । ଏହି ଅବସରରେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ସମସ୍ତ ସ୍କୁଲ୍ର ଛାତ୍ର ଛାତ୍ରୀମାନେ କୁନି ବୈଜ୍ଞାନିକ ଭାବେ ସିନିୟର ବିଭାଗରେ ୩୦ ଓ ଜୁନିୟର ବିଭାଗରେ ୨୬ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ତନ୍ମଧ୍ୟରୁ ପାଂଚଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନିତ ହୋଇଛି । ସେହିପରି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରାଦ୍ୱୀପ ବିଧାୟକ ସମ୍ବିତ୍ କୁମାର ରାଉତରାୟ, ମୁଖ୍ୟବକ୍ତା ଜିଲ୍ଲା ଶିକ୍ଷା ଅଧିକାରି ଶ୍ରୀମତୀ ପ୍ରତିଭା ମଞ୍ଜରୀ ଦାସ, ସମ୍ମାନନୀୟ ଅତିଥି ଜିଲ୍ଲା ବିଜ୍ଞାନ ପରିଦର୍ଶକ ସୁଭାଷ ଚନ୍ଦ୍ର ରାଉତ, ପ୍ରଧାନ ଶିକ୍ଷକ ଗଜେନ୍ଦ୍ରନାଥ ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲୋକନାଥ ନାଥ, କୁଜଙ୍ଗ ସରପଂଚ ଭାରତ ଭୂଷଣ ନାୟକ ପ୍ରମୁଖ ଯୋଗଦେଇ ଦୈନଦିନ ଜୀବନରେ ବିଜ୍ଞାନର ମହନୀୟ ଭୂମିକା ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଉଦଯାପନ ଉତ୍ସବର ମୁଖ୍ୟ ଅତିଥି କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିବା ସଂଗେ ସଂଗେ ମିଜାଇଲ୍ ମ୍ୟାନ୍ ତଥା ପୂର୍ବତନ ରାଷ୍ଟ୍ରପତି ଡଃ ଏ.ପି.ଜେ କଲାମଙ୍କ ଉଦାହରଣ ଦେଇ ଭବିଷ୍ୟତରେ ଜଣେ ଜଣେ ବଡ ବୈଜ୍ଞାନିକ ହେବାକୁ ଆହ୍ୱାନ ଦେଇଥିଲେ ।
ବ୍ଲକ ଶିକ୍ଷା ଅଧିକାରୀ ଶୁଦର୍ଶନ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ଲକ ବିଜ୍ଞାନ ସମନ୍ୱୟ କମିଟି ସମ୍ପାଦକ ସରୋଜ କୁମାର ବେହେରା ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।