ମାଲକାନଗିରି, ମାଲକାନଗିରି ମାଟିକୁ ପ୍ରଣାମ । ମାଲକାନଗିରିବାସୀଙ୍କୁ ପ୍ରଣାମ। ଏହିଭଳି କହିଛନ୍ତି ମାଲକାନଗିରିର ପ୍ରଥମ ମାଧ୍ୟମିକ ସ୍ତରରେ ରାଜ୍ୟ ଶିକ୍ଷକ ସମ୍ମାନ ପାଇଥିବା ଶିକ୍ଷକ କରୁଣାକର ମଲ୍ଲିକ ।୨୦୧୩ ମସିହାରେ ମାଲକାନଗିରି ଏକ ସ୍ବତନ୍ତ୍ର ଶିକ୍ଷା ଜିଲ୍ଲା ଭାବେ ପ୍ରତିଷ୍ଠା ହେଲା ପରେ ୨୦୧୭ ମସିହାରେ ରାଜ୍ୟ ଶିକ୍ଷକ ସମ୍ମାନ ପାଇଁ ଜିଲ୍ଲାରୁ ମନୋନୀତ ହେଲାପରେ ରାଜ୍ୟରେ ମଧ୍ୟ ମନୋନୀତ ହୋଇଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ ତାର୍ଲାକୋଟାର ସଂସ୍କୃତ ଶିକ୍ଷକ କରୁଣାକର ମଲ୍ଲିକ ରାଜ୍ୟ ସରକାରଙ୍କ ତରଫରୁ ୨୦୧୭ ମସିହାରେ କୃତି ଶିକ୍ଷକ ଭାବେ ମନୋନୀତ ହୋଇଥିଲେ। କୌଣସି ଅନିର୍ବାର୍ଯ୍ଯ କାରଣ ବଶତଃ ଏହି ସମ୍ମାନ ପ୍ରଦାନ କରାଯାଇନଥିଲା । ଏ ବର୍ଷ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ସୂଚନା ଲୋକ ସମ୍ପର୍କ ବିଭାଗକୁ ପବିତ୍ର ଉତ୍କଳ ଦିବସରେ ଏହି ସମ୍ମାନଜନକ ପୁରସ୍କାର ଜିଲ୍ଲା ସ୍ତରରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲା ତରଫରୁ ଆୟୋଜିତ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଜିଲାପାଳ ବିଶାଲ ସିଂ, ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକ, ବରିଷ୍ଠ ଆଇନଜୀବି ଅଶୋକ କୁମାର ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା, ମୁଖ୍ୟବକ୍ତା ବଳରାମ ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝି ସଭା ପରିଚାଳନା କରିଥିଲେ।
ଦୀର୍ଘ ଦିନ ଆଦିବାସୀ ଗାଁ ରେ ରହି ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ, ପରିବେଶ ସୁରକ୍ଷା ଓଡ଼ିଆ ଭାଷା ସାହିତ୍ୟ ଓ ସମାଜସେବା ପାଇଁ ସେ ଏ ଜିଲ୍ଲାର ଜଣେ ଆଦର୍ଶ ଶିକ୍ଷକ ଭାବେ ସୁପରିଚିତ। ତେଣୁ ଏହି ଖବର ପାଇବା ପରେ ଛାତ୍ର ଛାତ୍ରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।