କନ୍ଧମାଳ, ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ୧୭ ବର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ୧୭ ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ବିଚାର କରି ଆସାମୀ ଫୁଲବାଣୀ ନାରାୟଣୀ ସାହିର ଦୁର୍ଗାପ୍ରସାଦ ପ୍ରଧାନ (୨୭)କୁ ଦୋଷୀ ସାବ୍ୟସ୍ତ କରିବା ସହ୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଏକ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ଛଅ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ପୋସ୍କୋ କୋର୍ଟ ର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।
ସୂଚନା ଅନୁସାରେ, ଅଭିଯୁକ୍ତ ବିବାହର ପ୍ରଲୋଭନ ଦେଖାଇ ପୀଡ଼ିତାକୁ ବହୁତ ଥର ନିଜ ଘରକୁ ନେଇ ଦୁଷ୍କର୍ମ କରିଥିଲା। ଯାହା ଫଳରେ ପୀଡ଼ିତା ଗର୍ଭବତୀ ହୋଇଥିଲେ। ବାରମ୍ବାର ଅନୁରୋଧ ପରେ ମଧ୍ୟ ଅଭିଯୁକ୍ତ ବିବାହ କରିବାକୁ ପ୍ରତ୍ୟାଖ୍ୟାନ କରିବାରୁ ସାତ ମାସ ଗର୍ଭବତୀ ପୀଡ଼ିତା ଫୁଲବାଣୀ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ୨୪୯/୧୪.୧୦.୨୦୧୬ ରେଜିଷ୍ଟ୍ରି କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି ।