କୁଜଙ୍ଗ- ଗତ ୧୧.୦୭.୨୦୧୪ ମସିହା ରାତ୍ର ୯ଟା ସମୟରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଡିଆରେ ପ୍ରଶାନ୍ତ ନାରାୟଣ ଦାସ ଓରଫ୍ ପଶିଆ ନିଜ ମଦ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ୬ଜଣ ଦୁର୍ବୁତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ୧୦ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ରାଉତରାୟ ୬ ଦୋଷୀଙ୍କୁ ୨୦ ହଜାର ଟଙ୍କା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
ପୂର୍ବରୁ ଅଭିଯୁକ୍ତମାନେ ତାଙ୍କୁ ଦାଦାବଟି ମାଗିଥିଲେ । ପଶିଆ ତାଙ୍କୁ ଦାଦାବଟି ଦେବାକୁ ମନାକରିବାରୁ ସେ ଜୀବନରୁ ସବୁଦିନ ପାଇଁ ତାକୁ ଶେଷ କରିଦେବେ ବୋଲି ଧମକ ଦେଇଥିଲେ । ସବୁଦିନ ପରି ପ୍ରଶାନ୍ତ ଓରଫ ପଶିଆ ଘରକୁ ଆସିଲା ବେଳେ ବ୍ଲକ ପଡିଆରେ ମେହେଗାନି ଗଛ ପିଣ୍ଡିମୂଳେ ବସି ଥଣ୍ଡା ପବନ ଖାଉଥିଲା ବେଳେ ଏହି ସମୟରେ ମଂଟୁ ପାତ୍ର (୩୭) କୋଠିଆ ସାହି, ଅପୁ ଓରଫ ଅଜିତ୍ ଦାସ (୩୭) କୋଠିଆସାହି, ରିଙ୍କୁ ଓରଫ ଲିଙ୍କନ ଓରଫ ଶୁଭ୍ରାଂଶୁ ଶେଖର ସୁକ୍ଳା (୨୩) ଚରଦିଆ, ଟୁକୁନା ଓରଫ ଜିମୁତ ଦାସ(ଷଣ୍ଢପୁର), ଡୋରା ଓରଫ ରଂଜିତ ରାଉତ(୩୫) ଗତିରାଉତପାଟଣା, ରାଜା ଓରଫ ରାଜେଶ୍ ରାଉତ(୪୦) ଗତିରାଉତପାଟଣା ଉକ୍ତ ସ୍ଥାନରେ ଦୁଇଟି ବାଇକରେ ପହଂଚି ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରି ଆଖିବୁଜା ଗୁଳି ଚାଳଣା କରିବାରୁ ପଶିିଆ ସେଠାରେ ଟଳି ପଡିଥିଲେ । ଏ ସମ୍ପର୍କରେ ତା୧୧/୭/୧୪ରେ ପଶିଆର ଭାଇ ବିକ୍ରମ ନାରାୟଣ ଦାସ କୁଜଙ୍ଗ ଥାନାରେ ଏତଲା ଦାୟର କରିଥିଲେ । ଏସମ୍ପର୍କରେ କୁଜଙ୍ଗ ଥାନା ଅଧିକାରୀ କେସ୍ ନଂ. ୧୭୭/୨୦୧୪ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପରେ ପରେ ୟୁ.ଏସ୍. ସିଟି କେସ୍ ନଂ. ୯୧/୧୦୦ ଅଫ୧୫ ଦଫା ୧୪୭, ୧୪୮, ୩୮୫/୧୪୯, ୩୦୨/୧୪୯ ଆଇ.ପି.ସି ଏବଂ ସେକ୍ସନ୍ ୨୫(ଆଇ.ବି/୨୭ ଆର୍ମ ଆକ୍ଟରେ) ଏହି ୬ଜଣ ଅଭିଯୁକ୍ତକାରୀଙ୍କୁ ୨୦ହଜାର ଟଙ୍କା ଜରିମାନା କରାଯିବା ସହିତ ଆଜୀବନ କାରାଦଣ୍ଡରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ରାଉତରାୟ ଦଣ୍ଡିତ କରିଛନ୍ତି । ଏହି ୬ଜଣ ଅଭିଯୁକ୍ତଙ୍କ ରାୟ ପ୍ରକାଶ ପାଇବା ପରେ କୁଜଙ୍ଗ ସମାଗୋଳ ଉପକାରଗାରକୁ ୫ ଜଣଙ୍କୁ ପଠାଯାଇଥିଲା ବେଳେ ପୂର୍ବ ମାମଲାକୁ ଭିତିକରି ଭୁବନେଶ୍ୱର ଝାରପଡା ଜେଲ୍ କୁ ପଠାଯାଇଛି ।
ପ୍ରକାଶ ଥାଉକି, ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ସେତେବେଳେ ସମଗ୍ର କୁଜଙ୍ଗ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିବାବେଳେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବୁଦ୍ଧିଜୀବି ମହଲରୁ ଦାବୀ ଉଠିଥିଲା । ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ପରେ କୁଜଙ୍ଗ ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଦୀର୍ଘ ୬ବର୍ଷ ପରେ ଏହି ହତ୍ୟା ଘଟଣା ସାକ୍ଷୀ ପ୍ରମାଣଙ୍କ ବୟାନକୁ ଆଧାର କରି ଆଜି ଅଦାଲତ ରାୟ ପ୍ରକାଶ କରିବା ପରେ ଅଭିଯୁକ୍ତ ମାନଙ୍କ ପ୍ରତି ପ୍ରକୃତ ଦଣ୍ଡ ବିଧାନ ହୋଇଥିବାରୁ ଅଂଚଳରେ ଆନନ୍ଦ ପ୍ରକାଶ ପାଇଛି । ସେହିପରି ଅଭିଯୁକ୍ତ କାରୀଙ୍କୁ ଅଦାଲତ ଉପଯୁକ୍ତ ଦଣ୍ଡ ଦେଇଥିବାରୁ ପଶିଆର ଆତ୍ମା ଶାନ୍ତିଲାଭ କରିବା ସଂଗେ ସଂଗେ ରାୟ ପ୍ରତି ପରିବାର ପକ୍ଷରୁ ଗଭୀର ସମ୍ମାନ ପ୍ରଦର୍ଶନ କରିଛନ୍ତି । ଉକ୍ତ ମାମଲାକୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ଦେବାଶିଷ କଣ୍ଠ, ହାଇକୋର୍ଟର ଆଇନ ଜୀବି ରମଣି କାନ୍ତ ପଟ୍ଟନାୟକ, ଜଗତସିଂହପୁର ଆଇନ୍ଜୀବି ରବିନ୍ଦ୍ରନାଥ ମହାନ୍ତି, ସୁଶିଲ୍ କୁମାର ଦାସ, କୁଜଙ୍ଗ ଆଇନି ଜୀବି ନଳିନୀ ଦାସ, ସତ୍ୟାନନ୍ଦ ବିଶ୍ୱାଳ ପ୍ରମୁଖ ପସିଆ ପରିବାର ପକ୍ଷରୁ ଉକ୍ତ ମାମଲା ପରିଚାଳନା କରିଥିଲେ ।