ଭୁବନେଶ୍ୱର, ସାମାଜିକ ଅନୁଷ୍ଠାନ ପ୍ରେରଣା ଇଂଟରନ୍ୟାସନାଲ ଗ୍ରୀନ ଆର୍ମି ପକ୍ଷରୁ ଶୁକ୍ରବାରି ସ୍ଥାନୀୟ ସ୍କାଉଟ ଓ ଗାଇଡ଼ କାର୍ଯ୍ୟାଳୟ ପରିସରରେ ଏକ ରାଜ୍ୟସ୍ତରୀୟ ବିଶାଳ ବୃକ୍ଷପ୍ରେମୀ ସମାବେଶ, ଶୋଭାଯାତ୍ରା ଓ ସଂକଳ୍ପ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୃକ୍ଷପ୍ରେମୀମାନେ ସ୍କାଉଟ, ଗାଇଡ୍, ଏନ୍ସିସି, ଏନ୍ଏସଏସ, ରେଡ଼କ୍ରସ, ଏନ୍ୱାଇକେ ଆଦି ଯୁବ ବାହିନୀ ସମେତ ରାଜ୍ୟର କୋଣ ଅନୁକୋଣୀରୁ ଆସିଥିବା ବୃକ୍ଷପ୍ରେମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ସ୍କାଉଟ ଓ ଗାଇଡ଼ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ଭୁବନେଶ୍ୱର ସହର ପରିକ୍ରମା କରିସାରିବା ପରେ ସ୍କାଉଟ କାର୍ଯ୍ୟାଳୟ ପରିସରରେ ଏକ ବିଶାଳ ସମାବେଶ ଓ ସଂକଳ୍ପ ପାଠଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ଓଡ଼ିଶାକୁ ୨୦୨୩୬ ମସିହା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀରେ ବିଶ୍ୱର ସବୁଜ ରାଜଧାନୀରେ ପରିଣତ କରିବା ପାଇଁ ସଂକଳ୍ପ ପାଠ କରାଯିବା ସହ ଏକ ସ୍ୱତନ୍ତ୍ର ଲୋଗୋକୁ ଜଙ୍ଗଲ, ପରିବେଶ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉନ୍ମୋଚନ କରିଥିଲେ ।
ପ୍ରାରମ୍ଭରେ ଶ୍ରୀ ଅମାତ ପ୍ରେରଣାର ପତାକା ଉତୋଳନ କରିବା ସହିତ ବୃକ୍ଷପ୍ରେମୀମାନଙ୍କୁ ଏହି ଅଭିଯାନକୁ ସଫଳ କରିବା ପାଇଁ ଶପଥ ପାଠ କରାଇଥିଲେ । ଏଥିରେ ସଭାପତିତ୍ୱ କରି ପ୍ରେରଣା ଇଂଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଂଟଇନ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଯେ, ଏହି ରାଜ୍ୟସ୍ତରୀୟ ସମାବେଶ ପରେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ବୃକ୍ଷପ୍ରେମୀ ସମାବେଶମାନ ଆୟୋଜନ କରାଯାଇ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ୟମ କରାଯିବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଇରନ ମ୍ୟାନ ସିଦ୍ଧାର୍ଥ ରାଉତରାୟଙ୍କୁ ଗ୍ରୀନ ଆର୍ମି କମାଣ୍ଡାଣ୍ଟ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପପେଟ ପଥପ୍ରାନ୍ତ ନାଟକ ଅନୁଷ୍ଠାନ ପକ୍ଷରୁ ପ୍ରଶାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପରିବେଶ ସୁରକ୍ଷା ସର୍ମ୍ପିତ ନାଟକ ଅଭିନିତ ହୋଇଥିଲା । ଓଡ଼ିଶାର ମହାବିଦ୍ୟାଳୟରୁ ଆସିଥିବା ଅଧ୍ୟାପକ, ଅଧ୍ୟାପିକା, ବୃକ୍ଷପ୍ରେମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।