ଭୁବନେଶ୍ୱର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଓ ଅଗ୍ରଗତି ଦିଗରେ ଐତିହାସିକ ଭୂମିକା ନିର୍ବାହ କରିଥିବା କଟକ ସହରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ସହରର ବିଶିଷ୍ଟ ବ୍ୟକ୍ତିମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଠାରେ ଦାବି କରିଛନ୍ତି ।
ପୂର୍ବତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ପ୍ରେମାନନ୍ଦ ମିଶ୍ର, ରେଭେନ୍ସା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ପ୍ରଭାତ କୁମାର ମିଶ୍ର, ରୋଟାରୀ କ୍ଲବର ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଅଶୋକ ବିହାରୀ ମହାପାତ୍ର ଓ ଡକ୍ଟର ସୌମ୍ୟରଞ୍ଜନ ମିଶ୍ର, ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ସୁବାସିନୀ ଲେଙ୍କା, ପ୍ରଫେସର ଦେବପ୍ରସାଦ ନନ୍ଦ, ପ୍ରଫେସର ବାସନ୍ତୀ ରାୟ, ପ୍ରଫେସର ଜ୍ଞାନେନ୍ଦ୍ର କୁମାର ଶର୍ମା, ସାହିତ୍ୟିକା ସୁଜାତା ପ୍ରିୟଦର୍ଶିନୀ, ଅପର୍ଣ୍ଣା ମିଶ୍ର ଓ ସୁଜାତା ମହାପାତ୍ର, ବରିଷ୍ଠ ଆଇନଜୀବୀ ବିଶ୍ୱଜିତ ମହାପାତ୍ର ଓ ନଟବର ପଣ୍ଡା, ଚଳଚ୍ଚିତ୍ର ନିର୍ଦ୍ଦେଶକ ବସନ୍ତ ସାହୁ, ସମାଜସେବୀ ଅକ୍ଷୟ କୁମାର ଦାସ ପ୍ରମୁଖ ରାଜ୍ୟପାଳଙ୍କୁ ଏ ସଂକ୍ରାନ୍ତରେ ପ୍ରଦତ ସ୍ମାରକପତ୍ରରେ ସ୍ୱାକ୍ଷର କରିଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହର ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ଅବହେଳିତ ହେଉଥିବାରୁ ଓଡ଼ିଆ ଭାଷା ବିପର୍ଯ୍ୟସ୍ତ ହୋଇପଡୁଛି । ଅପର ପକ୍ଷରେ, ସହରରେ ଉର୍ଦ୍ଧୁ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ନିଆଯାଉଥିବାରୁ ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।
ଆଜି ରାଜଭବନଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ରୋଟାରୀଆନ ଅଶୋକ ବିହାରୀ ମହାପାତ୍ର, ପ୍ରଫେସର ଦିନେଶ ପ୍ରସାଦ ପଟ୍ଟନାୟକ, ପ୍ରଫେସର ସୁବାସିନୀ ଲେଙ୍କା, ପ୍ରଫେସର ଜ୍ଞାନେନ୍ଦ୍ର କୁମାର ଶର୍ମା ଓ ଡକ୍ଟର ନାରାୟଣ ମହାନ୍ତି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।