
ଜୟପୁର, କୋରାପୁଟ ଡିଭିଜନ୍ ଡାକ ବିଭାଗ ଅଧିନରେ ଥିବା ବିଭିନ୍ନ ଗ୍ରାମାଂଚଳର ଗ୍ରାମୀଣ ଡାକସେବକ ପଦବୀ ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନଙ୍କ ମଧ୍ୟରୁ ୨୨ଜଣ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଏ ନେଇ କୋରାପୁଟଡିଭିଜନ୍ ଡାକ ବିଭାଗର ଜୟପୁର ଠାରେ ଥିବା ବରିଷ୍ଠ ଅଧିକ୍ଷକ ତଥା ଅଇପିଓଏସ୍ ମନୋଜ ପ୍ରଗଡ଼ା ଜୟପୁର ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ସେ ଏସପିଙ୍କ ସହ ବି ଆଲୋଚନା କରିଥିବା ବେଳେ ଜୟପୁର ଟାଉନଥାନାରେ ଏ ନେଇ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, କୋରାପୁଟ ଡିଭିଜନ୍ ଡାକ ବିଭାଗ ଅଧିନରେ ଥିବା ବିଭିନ୍ନ ଗ୍ରାମାଂଚଳର ୫୮ଟି ଗ୍ରାମୀଣ ଡାକସେବକ ପଦବୀ ନିଯୁକ୍ତି ପାଇଁ ଆବେଦନ ଆହ୍ବାନ କରାଯାଇଥିଲା। ଏହି କ୍ରମରେ ୩୦ଟି ପଦବୀ ପାଇଁ ଆବେଦନପତ୍ର ଆସିଥିଲା। ପ୍ରାଥମିକ ଯାଂଚ ବେଳେ ହିଁ ୫ଜଣ ଆବେଦନକାରୀ ଉପସ୍ଥିତ ହୋଇନଥିଲେ। ପରେ ଆସିଥିବା ୨୫ଜଣ ଆବେଦନକାରୀଙ୍କ ଆବେଦନପତ୍ର ପ୍ରାରମ୍ଭିକ ଯାଂଚ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଡିଜି ଲକର ଆପରେ ଯାଂଚ କରିବା ସମୟରେ ମାତ୍ର ୩ଜଣଙ୍କର ଠିକ ରହିଥିବା ବେଳେ ବଳକା ୨୨ଜଣ ଆବେଦନକାରୀଙ୍କର ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ବୋଲି ଚିହ୍ନଟ ହୋଇଥିଲା। ଗୁଡାଏ ପ୍ରମାଣପତ୍ର ଉତ୍ତରପ୍ରଦେଶର ବୋଲି ସୂଚନା ମିଳିଛି। ଦାଖଲ ହୋଇଥିବା ଏହି ସାର୍ଟିପିକେଟ ଗୁଡିକର ମାର୍କ କେତେ ଆଣିଛନ୍ତି ତାହା ଡିଜି ଲକରରେ ପ୍ରଦର୍ଶିତ କରିବା କଥା । କିନ୍ତୁ ଏହି ମାର୍କ ପ୍ରଦର୍ଶିତ କରୁ ନଥିବା ଦେଖିବାକୁ ମିଳିଥିଲା। ଏପରିକି ଓଡିଆ ସମେତ କିଛି ବିଷୟରେ ୯୦ ଏବଂ ତଦୁର୍ଦ୍ଦ୍ବ ମାର୍କ ରଖି ପାସ୍ କରିଥିବା ଆବେଦନକାରୀ ମାନେ ୧୦ମ ପାସ ପରେ ଆଉ ଉଚ୍ଚଶିକ୍ଷା ନେଇନଥିବା ଜଣା ପଡ଼ିଛି। ଚିହ୍ନଟ ୨୨ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦାଖଲକାରୀ ଆବେଦନକାରୀଙ୍କ ମଧ୍ୟରେ ଅଳ୍ପ କିଛି କୋରାପୁଟ ଜିଲ୍ଲା, କଳାହାଣ୍ଡିର ଭବାନୀପାଟଣା, ବଲାଙ୍ଗୀରର ବି ରହିଥିବା ସୂଚନା ମିଳିଛି। ଜାଲ୍ ଆବେଦନକାରୀ ମାନେ ଦାଖଲ କରିଥିବା ସମସ୍ତ କାଗଜପତ୍ରକୁ ପୁଲିସ ଜବତ କରି ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି। ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବଲାଙ୍ଗୀର ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ରାକେଟ୍ ସହ ଏହି ଆବେଦନକାରୀ ମାନଙ୍କର ସଂପୃକ୍ତ ରହିଥିବା ସଂଦେହ ପ୍ରକାଶ ପାଇଛି।