ଭୁବନେଶ୍ୱର, ଓଡ଼ିଶାରୁ ବିଜେପିର ୮ ଜଣ ସାଂସଦ ଲୋକସଭାକୁ ଯାଇଛନ୍ତି । ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି । ମାତ୍ର ଓଡ଼ିଶା ବିଜେପିର ଏହି ନେତାମାନେ କେବେ ସଂସଦରେ କୋଟିଆ ପ୍ରସଙ୍ଗ ଉଠାଇଛନ୍ତି କି? ଦିନକ ପାଇଁ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ରଖିଛନ୍ତି କି? ନିଜ ଦାୟିତ୍ୱ ନିର୍ବାହ ନକରି ସେମାନେ ଏବେ କୋଟିଆକୁ ନେଇ ହୀନ ରାଜନୀତି ଚଳାଇଛନ୍ତି । ସେମାନେ ଚାହୁଁଛନ୍ତି କୋଟିଆ ଓଡ଼ିଶାରୁ ଯାଉ ଏବଂ ଓଡ଼ିଶା ଅପଦସ୍ତ ହେଉ । ଆଜି ବିଧାନସଭାରେ ବିଜେପି ବିଧାୟକମାନେ କୋଟିଆ ପ୍ରସଙ୍ଗ ଉଠାଇବା ପରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ ସେମାନଙ୍କୁ ଏଭଳି ଢଙ୍ଗରେ କଡ଼ା ଜବାବ ଦେଇଛନ୍ତି ।
ବିଧାନସଭା ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇ ଶ୍ରୀ ସାହୁ କହିଛନ୍ତି ଯେ ବିଧାନସଭାରେ ସମସ୍ତଙ୍କର କହିବାର ଅଧିକାର ଅଛି । ବିରୋଧୀ ଦଳ ମଧ୍ୟ ବିଧାନସଭାରେ ଓଡ଼ିଶାବାସୀଙ୍କ ବିଭିନ୍ନ ସମସ୍ୟା ଉଠାଇବା କଥା । ମାତ୍ର ଓଡ଼ିଶାବାସୀଙ୍କ ସ୍ୱାର୍ଥ ବା ହିତ ଲାଗି ସେମାନଙ୍କର କୌଣସି ଆନ୍ତରିକତା ନାହିଁ । ବିରୋଧୀ ଦଳ ପାଖରେ ବିଶେଷ କିଛି ପ୍ରସଙ୍ଗ ନ ଥିବାରୁ ଗତ ପ୍ରାୟ ମାସେ ହେଲା ସେମାନେ ୨/୩ଟି ପ୍ରସଙ୍ଗ ବାରମ୍ବାର ଉଠାଇ ଚାଲିଛନ୍ତି । ଏଭଳି କରି ସେମାନେ ବିଧାନସଭାକୁ ମକେରିରେ ପରିଣତ କରି ସାରିଲେଣି ।
କୋଟିଆ ପ୍ରସଙ୍ଗରେ ବିଜେପିକୁ ତୀବ୍ର ସମାଲୋଚନା କରି ଶ୍ରୀ ସାହୁ କହିଛନ୍ତି, କୋଟିଆ ଏକ ଅନ୍ତଃରାଜ୍ୟ ସୀମା ବିବାଦର ପ୍ରସଙ୍ଗ ହୋଇଥିଲେ ମଧ୍ୟ ବିଜେପି ଏହାକୁ ନେଇ କେବେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ି ନାହିଁ । ଓଡ଼ିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଦୀର୍ଘ ବର୍ଷ ଧରି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ପଦରେ ରହିଲେ । ମାତ୍ର ଓଡ଼ିଶା ବିଜେପିର ନେତାମାନେ କୋଟିଆ ସମସ୍ୟା ସମାଧାନ ପାଇଁ ତାଙ୍କ ପାଖରେ ମଧ୍ୟ କେବେ ଫେରାଦ ହୋଇନାହାନ୍ତି ।
ଏହା ବ୍ୟତୀତ କୋଟିଆରେ ବହୁ ସଂଖ୍ୟାରେ ରହୁଥିବା ଦୋରା ଜାତିର ଲୋକେ ମୂଳତଃ ଆଦିବାସୀ ହୋଇଥିଲେ ମଧ୍ୟ ସେମାନଙ୍କୁ ଏଯାଏ ଅନୁସୂଚିତ ଜନଜାତିର ମାନ୍ୟତା ମିଳି ନାହିଁ । ଅପରପକ୍ଷରେ ସୀମା ସେପଟେ ଆନ୍ଧ୍ରପ୍ରଦେଶରେ ରହୁଥିବା ଦୋରାମାନଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ମିଳିଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ଦୋରା ଜାତିକୁ ଏସ୍ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏତେବର୍ଷ ହେଲା କେନ୍ଦ୍ର ସରକାର ଏହା କାହିଁକି କରୁନାହାନ୍ତି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି । କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଯାହା କରିବା କଥା ତାହା କରୁଥିବା ଦର୍ଶାଇ ଶ୍ରୀ ସାହୁ କହିଛନ୍ତି ଯେ କୋଟିଆ ଅଂଚଳରେ ଭିତିଭୂମିର ବିକାଶ ସାଙ୍ଗକୁ କୋଟିଆବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ୧୦୦ କୋଟିର ପ୍ୟାକେଜ୍ ପ୍ରଦାନ କରିଛନ୍ତି ।