ଭୁବନେଶ୍ୱର, ଜାଲ୍ ସାର୍ଟିଫିକେଟ୍ ମାମଲାରେ ଗତକାଲି ମୁଖ୍ୟ ଅଭିଯୁକ୍ତ ସହିତ ଫଟୋ ଦେଖାଇ ବିଜେଡି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବିଜେପି ଓ କଂଗ୍ରେସ ନେତାମାନେ ଆଜି ନିଜ ଜାଲରେ ଛନ୍ଦି ହୋଇ ଯାଇଛନ୍ତି । ଶୁକ୍ରବାର ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁ ମୁଖ୍ୟ ଅଭିଯୁକ୍ତ ସହିତ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏବଂ ବିଜେପିର ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ଫଟୋ ଦେଖାଇବା ସହ ଏଭଳି ଦୁଇ ବିରୋଧୀଦଳକୁ କଟାକ୍ଷ କରିଛନ୍ତି । ନରସିଂହ ମିଶ୍ରଙ୍କ ଭଳି ଜଣେ ସମ୍ମାନାସ୍ପଦ ବରିଷ୍ଠ ନେତା ଏଭଳି ନିମ୍ନ ମାନର ଫଟୋ ରାଜନୀତି କରୁଥିବାରୁ ସେ ତାଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି ।
ଶ୍ରୀ ସାହୁ କହିଛନ୍ତି ଯେ ଜାଲ୍ ସାର୍ଟିଫିକେଟ ମାମଲା ପଦାକୁ ଆସିବା ପରେ ଓଡ଼ିଶା ପୁଲିସ ଏହାର ଜୋରଦାର ତନାଘନା କରୁଛି । ତଦନ୍ତରୁ ଯିଏ ଦୋଷୀ ବାହାରିବ, କୋଠର ଦଣ୍ଡ ପାଇବ । ମାତ୍ର ଏଭଳି ଏକ ମାମଲାକୁ ନେଇ ବିରୋଧୀ ଦଳର ବିଧାୟକମାନେ ଶସ୍ତା ଫଟୋ ରାଜନୀତି କରୁଛନ୍ତି । ଗତକାଲି ବିଧାନସଭାରେ ସେମାନେ ମୁଖ୍ୟ ଅଭିଯୁକ୍ତ ସହ ଜଣେ ବରିଷ୍ଠ ବିଜେଡି ନେତାଙ୍କ ଫଟୋ ଦେଖାଇଥିଲେ । ଆଜି ମୁଁ ସେହି ଅଭିଯୁକ୍ତ ସହିତ କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଜେପି ନେତା କେ.ଭି. ସିଂଦେଓଙ୍କ ଫଟୋ ଦେଖାଉଛି । ନରସିଂହ ବାବୁ ଅଭିଯୁକ୍ତର ବିଭିନ୍ନ କାର୍ଯ୍ୟକ୍ରମରେ ବାରମ୍ବାର ଯୋଗ ଦେଇଛନ୍ତି । ଉଭୟ ଗୋଟିଏ ମହମବତୀ ଧରି ଦୀପ ଜାଳୁଛନ୍ତି । ଏହା ବ୍ୟତୀତ ମୁକେଶ ମହାଲିଙ୍ଗ ଭଳି ଆହୁରି କେତେଜଣ ବିଜେପି ବିଧାୟକଙ୍କ ସହ ମଧ୍ୟ ଅଭିଯୁକ୍ତର ଲିଙ୍କ୍ ରହିଛି । ଏହିସବୁ ନେତାମାନଙ୍କ ମାଳମାଳ ଫଟୋ ଓ ଭିଡିଓ ବଜାରରେ ଘୂରି ବୁଲୁଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଅଭିଯୁକ୍ତ ସହିତ ସେମାନଙ୍କର ଯେଉଁ ନିବିଡ଼ ସଂପର୍କ ରହିଛି, ତଦନ୍ତରୁ କାଳେ ତାହା ପଦାକୁ ଆସିଯିବ ସେହି ଭୟରେ ସେମାନେ ଟାଣିଓଟାରି ବିଜେଡି ନେତାଙ୍କ ନାଁ ନେଉଛନ୍ତି ଏବଂ ଏଭଳି ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ।
ଶ୍ରୀ ସାହୁ ଆହୁରି କହିଛନ୍ତି ଯେ କେହି ଭୁଲ୍ କଲେ ମୁଖ୍ୟମନ୍ତ୍ରୀ ବରଦାସ୍ତ କରନ୍ତି ନାହିଁ । ନିରପେକ୍ଷ ତଦନ୍ତ କରିବା ସହ ଦୋଷୀକୁ ଦଣ୍ଡ ଦିଅନ୍ତି । ତେଣୁ ଏହି ମାମଲାରେ ମଧ୍ୟ ତଦନ୍ତ ଚାଲିଛି । ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ନିଶ୍ଚିତ ଭାବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।