କେନ୍ଦ୍ରାପଡା଼ – ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ବିମା ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ କେନ୍ଦ୍ରାପଡା ସହର ସନ୍ନିକଟ ଗୁହାଳସିଂଠାରେ ପ୍ରବାସୀ ଶ୍ରମିକ ସହାୟକ ଓ ସାଧନ କେନ୍ଦ୍ର ସହିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଉଦ୍ଘାଟନ କରି କହିଥିଲେ ଯେ ଶ୍ରମିକ ମାନଙ୍କୁ ନିରାପତା ଓ ସୁରକ୍ଷା ଦେବାରେ ରାଜ୍ୟ ସରକାରଙ୍କ ଏହା ଏକ ଅଭିନବ ଯୋଜନା । ଏହି ଯୋଜନା ଦ୍ୱାରା ରାଜ୍ୟର ଏକ କୋଟି ଶ୍ରମିକ ସୁରକ୍ଷିତ ହୋଇପାରିଛନ୍ତି । ଏହି ସହାୟକ କେନ୍ଦ୍ର ଦ୍ୱାରା ଶ୍ରମ ମା ଚିହ୍ନଟ କରାଯାଇ ଭାରତ ବାହାରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ସୁରକ୍ଷା ଓ ନିରାପତା ପ୍ରଦାନ କରାଯାଇପାରୁଛି । ଶ୍ରମିକ ମୃତ୍ୟୁବରଣ କଲେ ୪ ଲକ୍ଷ ଟଙ୍କା, ଝିଅ ବିବାହ ପାଇଁ ଆସନ୍ତା ଜାନୁଆରୀରୁ ୫୦ ହଜାର ଟଙ୍କା ପୁଅ ଝିଅକୁ ଡିପ୍ଲୋମା ଏବଂ ଡାକ୍ତରୀ ଆଦି ଉଚ୍ଚଶିକ୍ଷା ପାଇଁ ବର୍ଷକୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ରାଜ୍ୟରେ ୧୧ଟି ସାଧନ କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ଏଠାରେ ଏହା ୧୨ତମ ସାଧନ କେନ୍ଦ୍ର ଆଜିଠାରୁ କାର୍ଯ୍ୟାରମ୍ଭ ହୋଇଥିବାବେଳେ ଏହାର ସୁଯୋଗ ନେବାକୁ ଶ୍ରମିକ ମାନଙ୍କୁ ଆହ୍ୱାନ ଦେଇଥିଲେ । ବୈଦେଶିକ ମନ୍ତ୍ରଣାଳୟ ଭାରତ ସରକାରଙ୍କ ସହ ସଂପର୍କ କରି ଏହି ସାଧନ କେନ୍ଦ୍ରର ସ୍ୱତନ୍ତ୍ର ହେଲପ ଡେସ୍କ ଦିଲ୍ଲୀଠାରେ ସ୍ଥାପନ କରିବା ପାଇଁ ମନ୍ତ୍ରୀ ସୂଚନା ଦେଇଥିଲେ ।
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ଟାଉନହଲ୍ଠାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ, ଶ୍ରମ ଆୟୁକ୍ତ ନିରଞ୍ଜନ ସାହୁ, ରାଜ୍ୟ ପ୍ରବାସୀ ଶ୍ରମିକ ସହାୟକ ସାଧନ କେନ୍ଦ୍ର ବୈଷେୟିକ ପରାମର୍ଶ ଦାତା ଡି.ପି. ଆଚାର୍ଯ୍ୟ ସମ୍ମାନୀତ ଅତିଥିଭାବେ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାର ହାରାହାରି ୧ ଲକ୍ଷ କୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କ ନିମନ୍ତେ ଏହା ଏକ ବଡ ସୁଯୋଗ ବୋଲି ବକ୍ତବ୍ୟରେ କହିବା ସହ ଜିଲ୍ଲାର ପ୍ରବାସୀ ଶ୍ରମିକ ଯେଉଁଠି କାର୍ଯ୍ୟ କରିବାକୁ ଯିବେ ସୁରକ୍ଷିତ ଭାବେ ଯିବେ ଓ ଫେରିବେ, ସେମାନଙ୍କ ପିଲାମାନଙ୍କ ପାଠପଢା ଠିକ୍ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ସଠିକ୍ ମାର୍ଗରେ ହେବ ବୋଲି କହିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା କହିଥିଲେ ଯେ ଜିଲ୍ଲାର ୧ ଲକ୍ଷ ପାଣି ପାଇପ୍ ମିସ୍ତ୍ରୀ ମାନଙ୍କର ପଂଜୀକରଣ ଦୁଇମାସ ମଧ୍ୟରେ ହେବ । ଏହି କାର୍ଯ୍ୟ ଗ୍ରାମ ପଂଚାୟତ ମାନଙ୍କରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେବା ସହିତ ଏହି ଯୋଜନାକୁ ୫ଟି କାର୍ଯ୍ୟକ୍ରମରେ ସାମିଲ୍ କରାଯାଇ ଅଧିକରୁ ଅଧିକ କ୍ରିୟାଶୀଳ କରାଯିବ ।
ଏହି ଅବସରରେ ଶ୍ରମମନ୍ତ୍ରୀ ଶ୍ରୀ ସିଂ ୨ କୋଟି ୩୦ ଲକ୍ଷ ଟଙ୍କା ଶ୍ରମିକ ମାନଙ୍କ ସହାୟତା ରାଶି ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଭାବଗ୍ରାହୀ କଳା ନିକେତନ ସ୍ୱାଗତ ସଂଗୀତ ଗାନ କରିଥିବାବେଳେ କେନ୍ଦ୍ରାପଡା ଶ୍ରମ ଖଣ୍ଡ କମିଶନର ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ କେନ୍ଦ୍ରାପଡାର ପୂର୍ତ ନିର୍ବାହୀଯନ୍ତ୍ରୀ ପ୍ରଦୀପ୍ତ ମହାନ୍ତି, କେନ୍ଦ୍ରାପଡା ପୈାର ପରିଷଦ ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, କେନ୍ଦ୍ରାପଡା ପଂଚାୟତ ସମିତି ଅଧ୍ୟକ୍ଷ ଅନାମ ବଂଧୁ ଧଳ, ସୂଚନା ବିଭାଗ ଉପଖଣ୍ଡ ଅଧିକାରୀ ଲକ୍ଷ୍ମଣ ବେହେରା, ବରିଷ୍ଟ ଆଇନ୍ଜିବୀ ଦେବଦାସ ମହାନ୍ତି, ବରିଷ୍ଟ ବିଜେପି ନେତା ଗଦାଧର ମଲ୍ଲିକ, ପ୍ରଦୀପ୍ତ କୁମାର ମହାନ୍ତି, ଶିବ ପ୍ରସାଦ ଭଳ, ହିରଣ୍ୟ ପଣ୍ଡା ସମେତ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତା ଯୋଗଦେଇଥିଲେ ।