ନୂଆପଡ଼ା,ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡାଳ ଅଞ୍ଚଳର ଐତିହ୍ୟ ଓ ସଂସ୍କୃତି ର ମିଳନ ର ପର୍ବ ଚୈତ୍ର ମହା ସମାରୋହ ରେ ପାଲିତ ହୋଇଯାଇଛି। ଏହି ପର୍ବ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଜନସାଧାରଣ ତଥା ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଗୋଡାଳ ରେ କେଉଁ କାଳରୁ ଏହି ପର୍ବ ପାଲିତ ହେଉଛି। ଆଖ ପାଖ ଅଞ୍ଚଳ ତଥା ଜିଲ୍ଲା ବାହାରୁ ବହୁ ଭକ୍ତ ମା ଙ୍କ ପାଖରେ ଅଧିଆ ପଡ଼ି ଆଶିର୍ବାଦ ଭିକ୍ଷା କରିଥିଲେ।ପରମ୍ପରା ଅନୁସାରେ ମାନସିକ ରଖିଥିବା ଭକ୍ତ ମାନେ ଦେବୀ ପୀଠ ରେ କୁକୁଡ଼ା, ପାରା, ବୋଦା ବଳି ଦେଇଥାନ୍ତି। ଏପରିକି ଭକ୍ତ ମାନେ ନଡ଼ିଆ ଭାଙ୍ଗି ମଙ୍ଗଳ ମନାସି ଥାଆନ୍ତି । ଏହି ପର୍ବ ପୂର୍ବ ଦିନ ରୋଗୀ ବୋହଲା କାର୍ଯ୍ୟ କରିଥାନ୍ତି। ଏହାର ଅର୍ଥ ହେଉଛି ଗାଁ ରେ ରୋଗ, ହଇଜା ସମେତ ଅନେକ ରୋଗ ଗାଁ ଠାରୁ ଦୂରେଇ ଦେଇ ଗ୍ରାମ ର ଜନସାଧାରଣ ଙ୍କୁ ରୋଗମୁକ୍ତ ରଖିଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ଗ୍ରାମରେ ପ୍ରତିବର୍ଷ ଚୈତ୍ର ବୁଧବାର ଦିନ ମା ନନୀ ଙ୍କ ପୂଜା ହୋଇଥାଏ। ଗ୍ରାମର ଝାଙ୍କର ଗୋଡାଳ ବସ୍ତି ରେ ଥିବା ମନ୍ଦିର ରୁ ରୀତି ଅନୁସାରେ ପୂଜା କାର୍ଯ୍ଯ ପରେ ବାହାରିଥିଲେ।ପରେ ଗ୍ରାମରେ ମା ଙ୍କ ଶକ୍ତୀ କଳସି ଓ ପାଲିଙ୍କି ଘର ଘର ବୁଲି ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମର ଜନସାଧାରଣ ତଥା ଆବାଲ ବୃଦ୍ଧ ବନିତା ସାମିଲ ରହି ମା ଙ୍କ ଅଶେଷ କୃପା ଲାଭ କରିଥିଲେ। ଅପୁତ୍ରିକ ନାରୀ ପୁତ୍ର ପ୍ରାପ୍ତି ପାଇଁ ଅଧିଆ ପଡ଼ି ମା ଙ୍କ ଆଶିଷ ଭିକ୍ଷା କରିଥିଲେ। ଗ୍ରାମରେ ଏକ ଅନନ୍ୟ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ଘର ରେ ଝୋଟି ଆଙ୍କି ମା ଙ୍କୁ ଧୂପ, ଦୀପ, ଝୁଣା ଆଳତି ରେ ଗାଁ ମହକି ଉଠିଥିଲା। କିମ୍ବଦନ୍ତୀ ରୁ ଜଣା ଯାଏ କେଉଁ କାଳରୁ ଆଦିମ ଆଦିବାସୀ ମାନେ ପରମ୍ପରା ଭାବରେ ଗାଁ ଗଣ୍ଡା ଗୁଡିକରେ ନିଜର ଗଡ ରକ୍ଷା ପାଇଁ ଦେବୀ ମା ଙ୍କୁ ସ୍ଥାପନ କରି ପୂଜା କରୁଥିଲେ। ସେତେବେଳେ ସିନାପାଲି ବ୍ଲକ ର ସିଙ୍ଗଝର ଗୌନ୍ତିଆ ( ତତ୍କାଳୀନ ଗୌନ୍ତିଆ ଶାସନ ସମୟରେ) ବୁଢ଼ୀ ମା ଓ ତାଙ୍କ ଝିଅ ନନୀ ମା ଙ୍କୁ ପୂଜା କରୁଥିଲେ। ସିଙ୍ଗଝର ଠାରେ ଥିବା ଦେବୀ ପିଠ କୁ ଗୌନ୍ତିଆ ଙ୍କ ଝିଅ ପର୍ବ ପାଳନ ସମୟରେ ଦେବୀ ଙ୍କ ସେବା କାର୍ଯ୍ୟ କରୁଥିଲେ। ଗୋଡାଳ ଗ୍ରାମର ତତ୍କାଳୀନ ଗୌନ୍ତିଆ ଙ୍କ ପୁଅ ସହିତ ଝିଅ ର ବାହାଘର ହୋଇଥିଲା। ଦେବୀ କିନ୍ତୁ ସେହି ଝିଅ ର ସେବା କାର୍ଯ୍ୟ ରେ ବିମୋହିତ ହୋଇ ତାଙ୍କ ସାଙ୍ଗରେ ଚାଳି ଆସିଥିଲେ। ଏହା ଜାଣିବା ପରେ ମା ନନୀ ଙ୍କୁ ନେବାକୁ ଆସିଥିଲେ। କିନ୍ତୁ ଦେବୀ ଯିବା ପାଇଁ ମନା କରିଦେଇଥିଲେ। ପରେ ଗୋଡାଳ – ଡଙ୍ଗରଗାଁ ମଧ୍ୟ ଭାଗରେ ଥିବା ଗାଁ ନିକଟରେ ଶକ୍ତି ଲିଙ୍ଗ ରୂପେ ଆବିର୍ଭାବ ହୋଇ ପୂଜା ପାଉଛନ୍ତି। ଏଠାରେ ରାତ୍ରି କାଳୀନ ପୂଜା ହୋଇଥିବା ବେଳେ ଅଞ୍ଚଳ ର ଶହ ଶହ ଜନସାଧାରଣ ତଥା ମାନସିକ ପୂରଣ ଧାରି ମାନେ ବଳି ପକାଇଥାନ୍ତି। ଫଳରେ ଦେବୀ ଙ୍କ ଶକ୍ତି ପିଠ ରକ୍ତ ରଞ୍ଜିତ ହୋଇଥାଏ।
Related Stories
November 22, 2024