-
ରାଜନୈତିକ ଉଦ୍ଦେଶ୍ୟ ରଖି ଶାନ୍ତିପ୍ରିୟ ଓଡ଼ିଶାକୁ ନିନ୍ଦିତ କରନ୍ତୁ ନାହିଁ
ଭୁବନେଶ୍ୱର, ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଠାରେ କାଁଭାଁ ଅପରାଧ ହୁଏ ସତ, ମାତ୍ର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ନାହିଁ । ଦେଶର ଅନେକ ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ଯଥେଷ୍ଟ ଭଲ ଅଛି । ତେଣୁ ହୀନ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଏଭଳି ଅପପ୍ରଚାର ଜରିଆରେ ଶାନ୍ତିପ୍ରିୟ ଓଡ଼ିଶା ବାସୀ ଏବଂ ଓଡ଼ିଶାକୁ ନିନ୍ଦିତ କରନ୍ତୁ ନାହିଁ । ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଟୁଇଟ୍ ର ଜବାବ ରେ ଏଭଳି ଟୁଇଟ୍ କରିଛନ୍ତି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ।
ଡ.ପାତ୍ର ଉଲ୍ଲେଖ କରିଛନ୍ତି ଯେ ଆପଣ ଏତେ ଲମ୍ବା ସମୟ ଧରି କେନ୍ଦ୍ରମନ୍ତ୍ରୀ ରହିଲା ସତ୍ୱେ ଆପଣ କିପରି ଆଇନଶୃଙ୍ଖଳା ବା ଅରାଜକତା ଏବଂ ଅପରାଧ ମଧ୍ୟରେ ପାର୍ଥକ୍ୟ ବୁଝି ପାରିଲେ ନାହିଁ, ତାହା ମୋତେ ବିସ୍ମିତ କରୁଛି । ଆଇନଶୃଙ୍ଖଳା ସେତେବେଳେ ସୃଷ୍ଟି ହୋଇଥିଲା, ଯେତେବେଳେ ପଦ୍ମପୁରରେ ଏକ ଜିଏସଟି ଚଢ଼ଉ ଚାଲିଥିବାବେଳେ ଶତାଧିକ ବିଜେପି କର୍ମୀ ସେଠାରେ ବଳପୂର୍ବକ ପ୍ରବେଶ କରି ହଙ୍ଗାମା ସୃଷ୍ଟି କରିଥିଲେ ଏବଂ ଅସାଧୁ ବ୍ୟବସାୟୀଙ୍କୁ ବଂଚାଇବାକୁ ଜିଏସଟି ଅଧିକାରୀଙ୍କ ହାତରୁ କାଗଜପତ୍ର ଛଡ଼ାଇ ନେଇଥିଲେ । ସେହିପରି ଯେତେବେଳେ କେନ୍ଦ୍ରୀୟ ଅବହେଳା ଯୋଗୁଁ ସମ୍ବଲପୁର-କଟକକୁ ଯୋଡ଼ୁଥିବା ଏନ୍ଏଚ୍-୫୫ର ପ୍ରଶସ୍ତିକରଣ କାର୍ଯ୍ୟ ବର୍ଷ ବର୍ଷ ବିଳମ୍ବିତ ହେଉଥିଲା ଏବଂ ଏହାର ପ୍ରତିବାଦରେ ୫୦୦ରୁ ଅଧିକ ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ, ସେତେବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଖାଲି ସେତିକି ନୁହେଁ, ଯେତେବେଳେ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଓଡ଼ିଶାରୁ ଲୋକଙ୍କ ବଳକା ଧାନ କିଣା ହୋଇ ପାରୁନଥିଲା ଏବଂ ହଜାର ହଜାର ଚାଷୀ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ସେତେବେଳେ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଅନ୍ୟପକ୍ଷରେ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଗୋଷ୍ଠୀ ଏକ ଅପରାଧ ଘଟାଇଲେ, ପୁଲିସ ଏହାର ତଦନ୍ତ କରି ଅପରାଧୀକୁ କାଠଗଡ଼ା ନେଇଥାଏ । ତେଣୁ ଦୟାକରି ଆପଣ ଅପରାଧ ଭଳି ସ୍ପର୍ଶକାତର ମାମଲାରେ ହୀନ ରାଜନୀତି କରିବା ପାଇଁ ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ ବୋଲି ଡ.ପାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆହ୍ୱାନ ଦେଇଛନ୍ତି । ୨୦୨୧ ମସିହା ଏନସିଆରବି ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆସାମ ଓ ହରିଆନା ଭଳି ବିଜେପି ଶାସିତ ରାଜ୍ୟରେ ମହିଳାଙ୍କୁ ବଳାତ୍କାର ମାମଲା, ଓଡ଼ିଶା ତୁଳନାରେ ଯଥେଷ୍ଟ ଅଧିକ ରହିଛି ବୋଲି ଡ.ପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଚେତାଇ ଦେଇଛନ୍ତି ।