-
ବିଜେଡିର ବଡ଼ ବିଜୟ ହେବ : ଦେବୀ ମିଶ୍ର
-
ଆଇନଶୃଙ୍ଖଳାକୁ ମୁଦ୍ଦା କରିବ କଂଗ୍ରେସ : ନରସିଂହ ମିଶ୍ର
-
ବିଜେପି ସପକ୍ଷରେ ଜନମତ ଆସିବ : ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, ଝାରସୁଗୁଡ଼ା ଉପନିର୍ବାଚନ ଲାଗି ତାରିଖ ଘୋଷଣା ପରେ ୩ ପ୍ରମୁଖ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ବାଚନର ଫଳାଫଳକୁ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଝାରସୁଗୁଡ଼ା ଉପ ନିର୍ବାଚନରେ ବିଜେଡିର ବଡ଼ ବିଜୟ ହେବ । ଲୋକେ ମନସ୍ଥ କରି ସାରିଛନ୍ତି ବିଜେଡି ଭୋଟ ଦେବା ପାଇଁ । ଦ୍ୱିତୀୟ ସ୍ଥାନରେ ରହିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ । ବିଜେଡିରୁ ପ୍ରାର୍ଥୀ କିଏ ହେବ ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ । କିନ୍ତୁ ଦୀପାଳୀ ବିଭନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ତାଙ୍କ ବାପାଙ୍କ କାର୍ଯ୍ୟକ୍ରମ କରୁଛନ୍ତି , ବିରୋଧୀ ଯାହା ପ୍ରସଙ୍ଗ ଉଠାଇଲେ ବି ଲୋକ ନବୀନ ପଟ୍ଟନାୟକଙ୍କ ସହ ରହିବେ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, କଂଗ୍ରେସ ସର୍ବପୁରାତନ ଦଳ । ସବୁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭୋଟ ଅଛି । ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ପ୍ରସ୍ତୁତ । ଝାରସୁଗୁଡ଼ା ହେଉଛି କଂଗ୍ରେସ ଦଖଲରେ ଥିବା ନିର୍ବାଚନ ମଣ୍ଡଳୀ କହିଲେ ଭୁଲ ହେବନି । କଂଗ୍ରେସକୁ ଲୋକେ ଫେରିବେ । ଆଇନଶୃଙ୍ଖଳାକୁ କଂଗ୍ରେସ ମୁଦ୍ଦା ହେବ । ଯେଉଁ ଦଳ ସରକାର ଲୋକଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ତାକୁ କିପରି ଲୋକେ ଭୋଟ ଦେବେ । ଦରଦାମ ବୃଦ୍ଧି, ଝାରସୁଗୁଡ଼ାରେ ପିଇବା ପାଣି ମିଳୁନି, ଏସବୁ କଥା ଲୋକଙ୍କ ପାଖରେ ପହଂଚିବା ଦରକାର । ଏହା ଫଳରେ କଂଗ୍ରେସ ଝାରସୁଗୁଡ଼ାରେ ଜିତିବ ।
ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଝାରସୁଗୁଡ଼ାରେ କଂଗ୍ରେସର ସ୍ଥିତି ଭଲ ଅଛି । ପିସିସିଙ୍କ ଅଧ୍ୟକ୍ଷତାରେ ଗୋଟେ କମିଟି ଗଠନ ହୋଇଛି, ବିଧାନସଭା ସରିଲେ କମିଟିକୁ ନେଇକି ଯିବି । ୨୦୦୯ ଏବଂ ୨୦୧୪ ନିର୍ବାଚନରେ ନବ ଦାସ କଂଗ୍ରେସ ବିଧାୟକ ଥିଲେ, ଏବଂ ୨୦୧୯ରେ ସେ ବିଜେଡିକୁ ଯାଇଥିଲେ । ନବ ଦାସ ବିଜେଡି ଗଲାବେଳେ ତାଙ୍କ ସହ କଂଗ୍ରେସର ଯେତେ କର୍ମୀ ଥିଲେ ମୁନିସିପାଲିଟି ଏବଂ ବ୍ଲକରୁ ଆରମ୍ଭ କରି ସମସ୍ତଙ୍କୁ ସେ ବିଜେଡିକୁ ନେଇ ଯାଇଥିଲେ । ଏବେ ତାଙ୍କ ହତ୍ୟା ପରେ କର୍ମୀମାନଙ୍କ ଘର ବାହୁଡା଼ ହେଉଛି । ଏହା ଫଳରେ ସେଠି କଂଗ୍ରେସର ସ୍ଥିତି ଭଲ ରହିବ । ଏପଟେ ପିସିସି ମଧ୍ୟ ସ୍ପଷ୍ଟ କରିଛନ୍ତି ଯିଏ ଜିତିପାରିବେ ଏବଂ ଯାହାକୁ କଂଗ୍ରେସ କର୍ମୀମାନେ ଚାହୁଁଥିବେ ତାଙ୍କୁ ହିଁ କଂଗ୍ରେସ ଟିକେଟ ଦିଆଯିବ ।
ଠିକ୍ ସେହିପରି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ବିଜେପିର ବରିଷ୍ଠ ପର୍ଯ୍ୟବେକ୍ଷକ ଟିମ୍ ୨ଦିନ ମଧ୍ୟରେ ଝାରସୁଗୁଡ଼ା ଯିବ ।କର୍ମକର୍ତା, ବିଜେପି ନେତୃତ୍ୱ, ଲୋକଙ୍କ ମତାମତ ପରେ ପ୍ରାର୍ଥୀ ଚୟନ କରାଯିବ ।
ନବ ଦାସଙ୍କ ହତ୍ୟା ପଛରେ କିଏ ତାହା ଝାରସୁଗୁଡ଼ାର ଘରେ ଘରେ ଚର୍ଚ୍ଚା ହେଉଛି । ଝାରସୁଗୁଡ଼ାରେ ସିମ୍ପାଥି କାମ ଦେବ ନାହିଁ । ସରକାରଙ୍କ ସବୁ ଚେଷ୍ଟା ପ୍ରତିହତ ହେବ, ବିଜେପି ସପକ୍ଷରେ ଜନମତ ଆସିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।