-
ହତ୍ୟାକୁ 60 ଦିନ ବିତିଲା ପରେ ମଧ୍ୟ ପୋଲିସର ହାତ ଖାଲି, ଯଦି ନିର୍ଯ୍ୟାସ ବାହାରୁନି ତେବେ ବିଧାନସଭାର ଆବଶ୍ୟକତା କଣ – ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର, ବିଧାନସଭାରେ ନବ ଦାସ ହତ୍ୟା ମାମଲା ପୁଣି ଥରେ ଉଠିଛି । ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଏହି ହତ୍ୟାକୁ 2 ମାସ ବିତି ସାରିଲା ପରେ ମଧ୍ୟ ପୋଲିସର ହାତ ଖାଲି ଥିବାରୁ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଯଦି ଏହି ପ୍ରସଙ୍ଗକୁ ବିଧାନସଭାରେ ବାରମ୍ବାର ଉଠାଇବା ସତ୍ୱେ ଏହାର କୌଣସି ନିର୍ଯାସ ବାହାରୁ ନାହିଁ ତେବେ ଗୃହର କଣ ଆବଶ୍ୟକତା ରହିଛି ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଛନ୍ତି ଯେ ଜଣେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯିବା ଘଟଣାର ଆଜି 60 ଦିନ ଅର୍ଥାତ ଦୁଇ ମାସ ବିତି ସାରିଛି । ହତ୍ୟାର ଉଦ୍ଦେଶ୍ୟ କଣ ଓ ଏହି ହତ୍ୟା ପଛରେ କିଏ ରହିଛି ତାହାର ଖୁଲାସା ଆଜି ଯାଏ ହୋଇ ପାରି ନାହିଁ । ଓଡିଶା ପୋଲିସର ପାରିବାପଣିଆ ଏଥିରୁ ସ୍ପଷ୍ଟ ହୋଇଯାଉଛି। ଏହି ମାମଲାରେ ବଡ ବଡ ଓ ପ୍ରଭାବଶାଳୀ ଲୋକ ଥିବାରୁ ଏହି ଘଟଣାକୁ ଚପାଇ ଦିଆ ଯିବାକୁ ଚେଷ୍ଟା କରୁଛନ୍ତି । ଏଥିରେ ଅନେକ ପ୍ରଭାବଶାଳୀ ଲୋକ ସାମିଲ ଥିବା କୁହା ଯାଉଛି । ସେମାନଙ୍କୁ ସୁରକ୍ଷା ଦେବାର କାମ ରାଜ୍ୟ ପୋଲିସ କରୁଛି ।
ଏହା ଏକ ବିଶ୍ୱସ୍ତରୀୟ ହତ୍ୟା ହୋଇଥିବା କାରଣରୁ ରାଜ୍ୟ ପୋଲିସ ବିଶ୍ୱସ୍ତରୀୟ ତଦନ୍ତ କରୁଛି । ବିଧାନସଭା ସରି ଗଲେ ଏହି ପ୍ରସଙ୍ଗ ଚପି ଯିବ । ଯେପରି ମାହାଙ୍ଗା ଠାରୁ ଆରମ୍ଭ କରି ଅନ୍ୟ ପ୍ରସଙ୍ଗକୁ ପୂର୍ବରୁ ଚପାଇ ଦିଆଯାଇଛି । ବାରମ୍ବାର ବିଧାନସଭାରେ ଏହି ପ୍ରସଙ୍ଗ ଉତଥାପନ କଲେ ମଧ୍ୟ କୌଣସି ଲାଭ ମିଳୁ ନାହିଁ । ଏଭଳି ସ୍ଥିତିରେ ସାଧାରଣ ଲୋକ ମାନେ କଣ କରିୂବେ । ଏଭଳି ସ୍ଥିତିରେ ବିଧାୟକ ମାନେ କଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ ଏତିକି କହି ସାରିବା ପରେ ବିଜେପି ବିଧାୟକ ମାନେ ଏହି ପ୍ରସଙ୍ଗକୁ ନେଇ ବିଧାନସଭା ବାଚସ୍ପତିଙ୍କ ଆସନ ଆଡକୁ ଆସି ନାରାବାଜୀ କରୁଥିବା ଦେଖିବାକୁ ମିଳିଥିଲା । ସେମାନେ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କର ନାରାବାଜୀ କରୁଥିଲେ ।