ଭୁବନେଶ୍ୱର, ବଲାଙ୍ଗୀରରେ ଧରା ପଡିଥିବା ଜାଲ ସାର୍ଟିଫିକେଟ ରାକେଟ ପ୍ରସଙ୍ଗ ଆଜି ପୁଣି ଥରେ ବିଧାନସଭାରେ ଉଠିଛି । ଗତ କାଲି ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ପ୍ରସଙ୍ଗ ଉଠାଇଥିବା ବେଳେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଯେ ଏହି ପ୍ରଶ୍ନ ଅତ୍ୟନ୍ତ ସମ୍ବେଦନଶୀଳ । ଜାଲ ସାର୍ଟିଫିକେଟ ଜରିଆରେ ଅନେକ ଲୋକ ଚାକିରୀ କରୁଛନ୍ତି । ଏହି ମାମଲାରେ ଶାସକ ଦଳର ନେତା ମାନଙ୍କର ସମ୍ପର୍କ ରହିଛି । ଏହି ମାମଲାର ଚେର ଅନ୍ୟ ଜିଲ୍ଲା ମାନଙ୍କୁ ମଧ୍ୟ ମାଡିଥିବା ଜଣା ପଡିଛି । ବଲାଙ୍ଗୀର ପୋଲିସ ଏହି ମାମଲାରେ ତଦନ୍ତ ପାଇଁ ଅନ୍ୟ ଜିଲ୍ଲା ମାନଙ୍କୁ ମଧ୍ୟ ଗଲାଣି । ବଲାଙ୍ଗୀର ପୋଲିସର ଏହି ମାମଲାକୁ ଠିକ ଭାବେ ତଦନ୍ତ କରି ପାରିବ ନାହିଁ। ତେଣୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହୋଇଥିବାରୁ ଏହି ପ୍ରସଙ୍ଗ ଓ ନବ ଦାସ ହତ୍ୟା ମାମଲା ପ୍ରସଙ୍ଗକୁ ନେଇ ସର୍ବଦଳୀୟ ବୈଠକ ଡକା ଯାଉ ।