ଘଟଗାଁ, କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଓ ଘଟଗାଁ ବନାଞ୍ଚଳରେ ମହାବଳ ବାଘ ଘୁରି ବୁଲୁଥିବା ବନବିଭାଗ ପକ୍ଷରୁ ସୂଚନା ରହିଛି । ବାଘର ଗତିବିଧି ଜାଣିବା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲାଗାଯାଇଛି । ଏଥିସହ ଅଟେଇ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ପ୍ରବେଶ ପଥକୁ ବିଭାଗ ପକ୍ଷରୁ ସିଲ କରାଯାଇଛି । ବନ ବିଭାଗର ପେଟ୍ରୋଲିଙ୍ଗକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଏହାସତ୍ତ୍ୱେ ବି ଜଙ୍ଗଲ ଭିତରରେ ଶିକାରୀଙ୍କ ଅବାଧ ପ୍ରବେଶ କରୁଥିବା ଦେଖାଯାଇଛି । ପାଟଣା ବନାଞ୍ଚଳ ବଣ ମହୁଲଡିହା ନିକଟସ୍ଥ ଅଟେଇ ସଂରକ୍ଷିତ ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର ଉଦ୍ୟମ କରୁଥିବା ସମୟରେ ୬ ଜଣଙ୍କୁ ବନ ବିଭାଗ ଗିରଫ କରିଛି । ଖବର ଅନୁଯାୟୀ ମଙ୍ଗଳବାର ଦିନ ୬ଜଣ ବନ୍ୟଜନ୍ତୁ ଶିକାରୀଙ୍କ ସହ ୧୪ଟି ଧନୁ, ୨୦ଟି କାଣ୍ଡ ତୀର ସହ ୨ଟି ଟାଙ୍ଗିଆ ଓ ଗୋଟିଏ କଟୁରୀ ବନବିଭାଗ ଜବତ କରିଛି । ସେମାନେ ବଣମହୁଲଡିହା ଗ୍ରାମର ପ୍ରଭାକର ମହାକୁଡ଼, କୈଳାଶ ମାଝୀ, ଗଣେଶ ମାଝୀ, ଲୁନା ମାଝୀ ଓ ବନବିର ଗ୍ରାମର ବୁଦ୍ଧିଆ ମୁଣ୍ଡା ଓ ପିଛୁଳାବେଡା ଗ୍ରାମର ଜଗ ମୋହନ ମୁଣ୍ଡା ବୋଲି ଜଣାପଡିଛି । ଉକ୍ତ ଗିରଫଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକରୁ ଅଧିକ ତଦନ୍ତ ଚଳାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଶିକାରୀଙ୍କ ସହ ଶିକାର ଦେଖିବାକୁ ଆସିଥିବା ୩ଜଣ ନାବାଳକଙ୍କୁ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ସେମାନେ ନିର୍ଦ୍ଦୋଷ ହୋଇଥିବା ନେଇ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।
Related Stories
November 22, 2024