ଭୁବନେଶ୍ୱର, ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ ମାମଲା ଆଜି ବିଧାନସଭାରେ ଉଠିଛି । ଏହି ପ୍ରସଙ୍ଗରେ ବିଜେଡି ନେତା ସାମିଲ ଥିବାରୁ ରାଜ୍ୟ ସରକାରଙ୍କ କାଠଗଡାରେ ଠିଆ କରାଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ସେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଏନଏସଏ ଲଗାଇବାକୁ ଦାବି କରିଛନ୍ତି ।
ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ରାଜ୍ୟ ସରକାର ରାଜ୍ୟରେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତକୁ ଅନ୍ଧକାରମୟ କରୁଛନ୍ତି । ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ ଧରା ପଡିଛି । ଏଥିରେ ବିଜେଡି ଆଇଟି ସେଲର ମୁଖ୍ୟ ଧରା ପଡିଛନ୍ତି । ସେମାନେ ବର୍ଷ ବର୍ଷ ଧରି ଏହି କାମ କରୁଥିଲେ । ଏହି ସାର୍ଟିଫିକେଟ ଜରିଆରେ ଶହ ଶହ ପିଲା ସରକାରୀ ଓ ବେସରକାରୀ ଚାକିରୀ କରୁଛନ୍ତି । ସେ କହିଛନ୍ତି ଯେ ସାରା ରାଜ୍ୟରେ ଚାଲିଥିବା ଏଭଳି ଜାଲ ସାର୍ଟିଫିକେଟ ରାକେଟ କୁ ଧରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ । ଏମାନଙ୍କ ବିରୁଦ୍ଧରେ କଠୋର କାର୍ଯାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି ।