
ଭୁବନେଶ୍ୱର, ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ମଙ୍ଗଳବାର ଦିନ ମହାନଦୀ ପ୍ରସଙ୍ଗ ପୁଣି ଥରେ ବିଧାନସଭାରେ ଉଠାଇଛନ୍ତି । ମହାନଦୀ ପ୍ରସଙ୍ଗକୁ ନେଇ ପୂର୍ବରୁ ଗଠିତ ଗୃହ କମିଟିର ରିପୋର୍ଟକୁ ଗୃହରେ ଉପସ୍ଥାପନା କରିବାକୁ ସେ ଦାବି କରିଛନ୍ତି ।
ଶ୍ରୀ ମିଶ୍ର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ମହାନଦୀ ପ୍ରସଙ୍ଗରେ ଗତ 22 ମାର୍ଚ ଦିନ ଶାସକ ଦଳ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିଲା । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ଏହି ମାମଲାରେ ମୋସନ ଜରିଆରେ ଚର୍ଚା ପାଇଁ ଦାବି କରିଥିଲେ ।
ଶ୍ରୀ ମିଶ୍ର କହିଛନ୍ତି ଯେ ଗତ 2017 ମସିହାର ଡିସେମ୍ବର ସାତ ତାରିଖ ଦିନ ତତ୍କାଳୀନ ବାଚସ୍ପତି ପ୍ରଦୀପ ଅମାତଙ୍କ ନେତୃତ୍ୱରେ ଏକ ଗୃହ କମିଟି ଗଠିତ ହୋଇଥିଲା । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଉ ଏକ ଗୃହ କମିଟି ଗଠିତ ହୋଇଥିଲା । ଏହି ଦୁଇ ଗୃହ କମିଟିର ବୈଠକ କେବେ କେବେ ଅନୁଷ୍ଠିତ ହୋଇଛି ଓ ଏହି ଗୃହ କମିଟି କଣ ସୁପାରିଶ କରିଛି ତାର ରିପୋର୍ଟ ବିଧାନସଭାରେ ଉପସ୍ଥାପନା କରିବାକୁ ମୁଁ ଦାବି କରୁଛି ବୋଲି କହିଛନ୍ତି ।
ସେହିପରି ସେ ମହାନଦୀ ଟ୍ରିବ୍ୟୁନାଲ ପାଇଁ ଗଠିତ ଓକିଲ ଓ ଅନ୍ୟ ବିଷୟର ସୂଚନା ବିଧାନସଭାରେ ଦେବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏହି ବାବଦରେ କେତେ ଓକିଲ ଖର୍ଚ ହୋଇଛି ଓ ଟ୍ରିବ୍ୟୁନାଲ ଶୁଣଣୀ ତାରିଖ କାହିଁକି ବାରମ୍ବାର ଘୁଂଚୁଛି ତାର ତଥ୍ୟ ବିଧାନସଭାରେ ଉପସ୍ଥାପନା କରାଯାଉ ବୋଲି ସେ ଦାବି କରିଛନ୍ତି ।