-
ମାଙ୍କ ସରସ୍ଵତୀ ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ
ଗଞ୍ଜାମ, ଆଜି ଚୈତ୍ର ତୃତୀୟ ମଙ୍ଗଳବାର । ଏହି ଅବସରରେ ପୁରୁଷୋତମପୁର ନିକଟସ୍ଥ କୁମାରୀ ପାହାଡ଼ ଉପରେ ଅବସ୍ଥିତ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଚଇତି ଯାତ୍ରା ଅନୁଷ୍ଠିତ ହେଉଛି । ଗତ ମଧ୍ୟରାତ୍ର ପରେ ମା ଙ୍କ ମନ୍ଦିର ଦ୍ଵାରଫିଟା, ମଙ୍ଗଳ ଆଳତି, ପୂଜାର୍ଚ୍ଚନା ପରେ ମାଙ୍କ ଶୃଙ୍ଗାର କରାଯାଇ ମାଙ୍କୁ ସରସ୍ଵତୀ ବେଶରେ ସଜ୍ଜିତ କରାଯାଇଛି ।
ରାତି ୨ଟା ଠାରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା । ରାତି ୩ଟା ଠାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା । ଭକ୍ତମାନେ ବ୍ୟାରିକେଡ଼୍ ରେ ଧାଡ଼ିରେ ଯାଇ ମାଙ୍କ ଦର୍ଶନ କରୁଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଧାଡ଼ି ଦର୍ଶନ ସହ ଠିକ୍ ସମୟରେ ନୀତିକାନ୍ତି ଜାରୀ ରହିଛି । ଏହି ଅବସରରେ ମା ତାରାତାରିଣୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଜିଲ୍ଲା ଓ ଜିଲ୍ଲା ବାହାରୁ ଶ୍ରଦ୍ଧାଳୁ ମାନେ ଆସି ମାଙ୍କ ପୀଠରେ ସମବେତ ହୋଇଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଦର୍ଶନ ଚାଲିବ ।
ଚୈତ୍ର ମାସର ମଙ୍ଗଳବାର ଗୁଡିକରେ ଶ୍ରଦ୍ଧାଳୁ ମାନେ ଆସି ଏଠାରେ ନିଜ ସନ୍ତାନ ସନ୍ତତି ମାନଙ୍କର ମୁଣ୍ଡନ କରି ପ୍ରଥମ କେଶ ଦେବୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥାନ୍ତି । ଏହାଦ୍ଵାରା ଦେବୀଙ୍କ ଆର୍ଶିବାଦ ସର୍ବଦା ସେମାନଙ୍କର ସନ୍ତାନ ଉପରେ ରହିବ ବୋଲି ବିଶ୍ଵାସ ରହିଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ମାଙ୍କ ମନ୍ଦିରକୁ ଯିବା ନିମନ୍ତେ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପାହାଡ଼ ପାଦ ଦେଶରୁ ବସ୍ ଓ ରୋପ ୱେ ବ୍ୟବସ୍ଥା ରହିଛି । ଏଥିସହ ହଜାରେ ପାହଚ ଅତିକ୍ରମ କରି ପାଦଚଲା ରାସ୍ତାରେ ମଧ୍ୟ ଯିବାର ବ୍ୟବସ୍ଥା ରହିଛି । ସ୍ଵାସ୍ଥ୍ୟ, ଜଳଯୋଗାଣ, ପ୍ରସାଦ ପୁଡିଆ ବିକ୍ରୀ ଓ ବିତରଣ ଏବଂ ମୁଣ୍ଡନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଠାରେ ଶହ ଶହ ସଂଖ୍ୟାରେ ଅସ୍ଥାୟୀ ଦୋକାନ ଖୋଲାଯାଇଛି । ଅପ୍ରେଲ ମାସ ୪ ତାରିଖ ଚୈତ୍ର ମଙ୍ଗଳବାର ଅନ୍ତିମ ପାଳି ଅନୁଷ୍ଠିତ ହେବ ।