
ଭୁବନେଶ୍ୱର,ଆସନ୍ତାକାଲି (ବୁଧବାର)ପବିତ୍ର ଅଶୋକାଷ୍ଟମୀ ତଥା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏହା ପୂର୍ବରୁ ଆଜି ସପ୍ତମୀ ତିଥିରେ ନେତ ଉତ୍ସବ ଅବସରରେ ରୁକୁଣା ରଥ ପ୍ରତିଷ୍ଠା କରାଯିବ । ମଙ୍ଗଳବାର ଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତୀ ପରେ ମରିଚି କୁଣ୍ଡରୁ ପ୍ରଥମ ଗରା ପାଣି ଆଣି ପୂଜା କରାଯିବା ସହ ରଥ ପ୍ରତିଷ୍ଠା ହେବ । ପରେ ଏହି ପାଣିକୁ ନିଲାମ କରାଯିବ । ବିଶ୍ୱାସ ରହିଛି, ମରିଚି କୁଣ୍ଡର ପାଣିକୁ ସେବନ କଲେ ନିଃସନ୍ତାନ ନାରୀ ସନ୍ତାନ ଲାଭ କରିଥାନ୍ତି ।
ଆସନ୍ତାକାଲି ଅଶୋକାଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଆରମ୍ଭ ହୋଇ ୫ ଦିନ ଧରି ଚାଲିବ । ଏଥିପାଇଁ ସମସ୍ତ ନୀତି ନିର୍ଘଂଟ ଚୂଡ଼ାନ୍ତ ହୋଇଛି ।ରୁକୁଣା ରଥଯାତ୍ରା ସୁରୁଖୁରୁରେ ତଥା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ, ପୋଲିସ ଓ ବିଏମସି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଅନ୍ୟପକ୍ଷରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ତ୍ରୟୋଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ୨୯ତାରିଖରୁ ଆରମ୍ଭ ହେବ । ଏହା ୬ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ୭ଶହ କଳାକାର ବିଭିନ୍ନ ପ୍ରାନ୍ତରୁ ଆସି ନୃତ୍ୟ ପରିବେଷଣ କରିବେ ।