
ଭୁବନେଶ୍ୱର, ଆସନ୍ତା ଏପ୍ରିଲ ୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ଝଡ ବର୍ଷା ଲାଗି ରହିବ । ୨୯ ତାରିଖରୁ ନୂଆ ପଶ୍ଚିମାଝଡ ସୃଷ୍ଟି ହେବାକୁ ଥିବା ବେଳେ ୩୦ ତାରିଖରୁ ଏହାର ପ୍ରଭାବ ଦେଖିବାକୁ ମିଳିବ । ୩୧ ତାରିଖରେ ପଶ୍ଚିମାଝଡର ସର୍ବାଧିକ ପ୍ରଭାବ ଦେଖାଦେବ । ୩୧ ରେ ଝଡ଼-ପବନ ସହ ପ୍ରବଳ ବର୍ଷା ( ୭ ରୁ ୧୧ ସେମି) ଏବଂ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି । ସେହିପରି ୧ ଅପ୍ରେଲ ରେ ମଧ୍ୟ ଝଡ଼-ପବନ ସହ ବିଜୁଳି ଘଡଘଡି ହୋଇପାରେ । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅପରପକ୍ଷରେ ଆଜି (୨୮ ତାରିଖ) ମଧ୍ୟ ରାଜ୍ୟର ଉପକୂଳ ଜିଲ୍ଲା ସମେତ ପାଶ୍ୱବର୍ତୀ ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି । ସେହିପରି ଭୁବନେଶ୍ୱର ଓ କଟକ ଟ୍ୱିନ୍ ସିଟିରେ ମଧ୍ୟ ଝଡ ବର୍ଷା ହୋଇଥିବାର ସୂଚନା ମିଳିଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ କୋରାପୁଟ, ରାୟଗଡା, ଗଜପତି, ଗଂଜାମ, କନ୍ଧମାଳ , କେନ୍ଦୁଝର, ମୟୁରଭଂଜ, ଅନୁଗୁଳ, ଢେଙ୍କାନାଳ, କଟକ , ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୨୯ରୁ ୩୦ ତାରିଖ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୁରଭଂଜ , ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବାରୁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।