ବଲାଙ୍ଗିର, ବଲାଙ୍ଗିର ଜାଲ୍ ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ କରିଛି ଜିଲ୍ଲା ପୋଲିସ । ଆଜି ପୂର୍ବାହ୍ନରେ ବଲାଙ୍ଗିର ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏସପି ନୀତିନ କୁଶଲକର କହିଛନ୍ତି ଯେ, ମାମଲାରେ ଅଦ୍ୟାବଧି ୧୯ ଜଣଙ୍କୁ ଗିରଫ କରାଯାଇଛି । ରିଲାଏନ୍ସ ଏଜୁକେସନାଲ କମ୍ପେ୍ଲକ୍ସର ମାଲିକ ତଥା ଜାଲ୍ ସାର୍ଟିଫିକେଟ ରାକେଟର ମୁଖ୍ୟ ଅଭିଯୁକ୍ତ ମନୋଜ କୁମାର ମିଶ୍ର, ତାର ସହଯୋଗୀ ଆଲୋକ ଉଦ୍ଗାତାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରାଯାଇଛି । ଚଢ଼ଉ ବେଳେ ସମ୍ପୃକ୍ତ ସଂସ୍ଥାରୁ ୧ ହଜାରରୁ ୫ ହଜାର ନକଲି ସାର୍ଟିଫିକେଟ ଜବତ ହୋଇଛି । ଏହା ମଧ୍ୟରେ ରହିଛି ୪୧ ୟୁନିଭରସିଟି ଓ ସ୍କୁଲର ନକଲି ସାର୍ଟିଫିକେଟ । କମ୍ପ୍ୟୁଟର, ହାର୍ଡଡିସ୍କ, ମୋବାଇଲ ଓ ଆକାଉଂଟ ଡିଟେଲ୍ସ ମିଳିଛି । ତହସିଲଦାର, ଜଏଂଟ ଡାଇରେକ୍ଟର ଭଳି ଅଧିକାରୀଙ୍କ ନକଲି ରବର ଷ୍ଟାମ୍ପ ମଧ୍ୟ ମିଳିଛି । ଏହି ରାକେଟ୍ ଗୋଟିଏ ସାର୍ଟିଫିକେଟକୁ ଦେଢ଼ ଲକ୍ଷରୁ ୨ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲା । ଏପରିକି ଅଧିକରୁ ଅଧିକ ଗୋଟିଏ ସାର୍ଟିଫିକେଟକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିଲା । ତେବେ ଆଗକୁ ଏନେଇ ଅଧିକ ତଦନ୍ତ ହେବ । ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହେବ । ଆଗକୁ ମାମଲାରେ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି ଏସପି କହିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ୭ରୁ ୮ ବର୍ଷ ହେବ ଏହି ରାକେଟ୍ ଚାଲୁଥିଲା ବୋଲି କହିଛନ୍ତି ଏସପି ନୀତିନ କୁଶଲକର ।
ଏଠାରେ ଉଲ୍ଲେଖଯୋଗ୍ୟ, ନିକଟରେ ବଲାଙ୍ଗିର ଜିଲ୍ଲାରେ ଡାକଘରେ ନିଯୁକ୍ତି ପ୍ରକ୍ରିୟାରେ ସାର୍ଟିଫିକେଟ ଭେରିଫିକେସନ ବେଳେ ଦୁଇ ଜଣଙ୍କୁ ଧରିଥିଲେ ବଲାଙ୍ଗିର ପୋଷ୍ଟାଲ ସୁପରିଟେଣ୍ଡେଂଟ ରାଜେନ୍ଦ୍ର କୁମାର ପଟ୍ଟନାୟକ । ଏନେଇ ସେ ୩୮ ଜଣଙ୍କ ନାମରେ ନକଲି ସାର୍ଟିଫିକେଟ ଦେଇଥିବା ନେଇ ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି ପୋଲିସ ୧୪୩/୨୩ ରେ ଏକ ମାମଲା ରୁଜ୍ଜୁ କରିଥିଲା । ଭାରତୀୟ ପିଙ୍ଗଳ କୋଡର ଦଫା ୪୨୦/ ୪୬୫/୪୬୭/୪୬୮/୪୭୧ ଏବଂ ୩୪ ବଳରେ ମାମଲା ରୁଜ୍ଜୁ ହୋଇଥିଲା । ଘଟଣାର ଗୁରୁତ୍ଵକୁ ଉପଲବ୍ଧି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଇନଷ୍ଟିଚ୍ୟୁଟରୁ ମିଳିଥିବା ଡାଏରୀରୁ ନିଯୁକ୍ତି ପାଇଥିବା ଅନେକଙ୍କ ନାମ ମଧ୍ୟ ଜଣାପଡିଛି । ତେବେ ସେମାନେ କେଉଁ କେଉଁ ବିଭାଗରେ କାର୍ଯ୍ୟ କରୁଛନ୍ତି ତାହା ଉପରେ ମଧ୍ୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି ।