ଭୁବନେଶ୍ୱର, ରାହୁଲ ଗାନ୍ଧୀଙ୍କର ଲୋକସଭା ସଦସ୍ୟ ପଦକୁ ରଦ୍ଦ କରାଯାଇ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ବିଧାନସଭା ଅଚଳ ହେବା ପରେ ଗୃହ ବାହାରେ ସାମ୍ବାଦିକ ମାନଙ୍କୁ ସେ କହିଛନ୍ତି ଯେ ସୁଚିନ୍ତିତ ଷଡ଼ଯନ୍ତ୍ର କରି ରାହୁଲ ଗାନ୍ଧିଙ୍କୁ ଦଣ୍ଡିତ କରାଯାଇଛି ଓ ଲୋକସଭା ସାଂସଦ ସଦସ୍ୟ ପଦ ରଦ୍ଦ କରାଯାଇଛି।
ଗଣତନ୍ତ୍ରର ପରମ୍ପରାକୁ ଜଳାଂଜଳି ଦେଇ ଅତି ତରବରିଆ ଭାବେ ତାଙ୍କୁ ଦଣ୍ଡିତ କରାଯାଉଛି । ତେଣୁ ସାରା ଭାରତ ବର୍ଷରେ ପ୍ରତିବାଦ କରାଯାଉଛି । ଯେଉଁଠାରେ ପାର୍ଲାମେଂଟ ଚାଲିଛି କିମ୍ବା ବିଧାନସଭା ଚାଲିଛି ସେଠାରେ ସଦସ୍ୟ ମାନେ କଳା ଡ୍ରେସ ପିନ୍ଧି ଯାଉଛନ୍ତି । ଏହି କାରଣରୁ ଗୃହକୁ ଅଚଳ କରା ଯାଇଛି କାରଣ ଯେଉଁ ଠାରେ ଗଣତନ୍ତ୍ର ନାହିଁ କିମ୍ବା ଗଣତନ୍ତ୍ରର ପରମ୍ପରାକୁ ମାନୁ ନାହାନ୍ତି., ସେହି ଭଳି ସ୍ଥାନରେ ଗୃହ ଚାଲି କଣ ଲାଭ ରହିଛି ।
ସେ କହିଛନ୍ତି ଯେ ଆଗେ ଆବଶ୍ୟକତା ଅଛି ଯେ ଗଣତନ୍ତ୍ରକୁ ସୁରକ୍ଷା ଦେବା । ତା ହେଲେ ଯାଇ ଗୃହ ଚାଲିଲେ କିଛି ନିଷ୍କର୍ଶ ବାହାରିଥାଏ । ସମ୍ବିଧାନ ଅନୁସାରେ ଆମେ ଚଳିବାକୁ ବାଧ୍ୟ । ଯଦି ସମ୍ବିଧାନକୁ ଅଚଳ କରିଦିଆ ଯାଇଥାଏ ଓ ସମ୍ବିଧାନ ଅନୁସାରେ କାମ ହୁଏ ନାହିଁ ସେଠାରେ ସମ୍ବିଧାନ ତାର ଅସ୍ତିତ୍ୱ ହରାଇ ଥାଏ । ଆଜି ସେଇଥି ପାଇଁ ଆମେ ଏହାର ପ୍ରତିବାଦ କରିଥିଲୁ ଓ ବାଚସ୍ପତି ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ରଖିଛନ୍ତି। ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ଓ ଗଣତନ୍ତ୍ର ଅନୁଯାୟୀ ସବୁ କାମ କରିବାକୁ ଆମେ ଦାବି କରୁଛୁ ବୋଲି ସେ କହିଛନ୍ତି ।