-
ଚାଲି ପାରିଲାନି ଗୃହ, ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଲୋକସଭାରୁ ସଦସ୍ୟତା ରଦ୍ଦ କରାଯିବା ପରେ ଏହାର ପ୍ରଭାବ ଓଡିଶା ବିଧାନସଭାରେ ମଧ୍ୟ ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକ ମାନେ କଳା ପୋଷାକ ପିନ୍ଧି ଆଜି ବିଧାନସଭାରେ ଆସିବା ପରେ ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଛନ୍ତି । ଏହି କାରଣରୁ ଆଜି ପ୍ରଥମାର୍ଧ ବୈଠକରେ କୌଣସି କାର୍ଯ୍ୟ ହୋଇ ପାରି ନାହିଁ । ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଶୂନ୍ୟକାଳ ଆଦି ହୋଇ ପାରି ନାହିଁ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବାରୁ ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସକାଳ 10.30ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ରାହୁଲ ଗାନ୍ଧୀଙ୍କ ସଦ୍ୟସତା ରଦ୍ଦ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ପ୍ରତିବାଦ ଜଣାଇଥିଲେ। ସେମାନେ ଗୃହକୁ କଳା ପୋଷାକ ପିନ୍ଧି ଆସି ପ୍ରତିବାଦ ଜଣାଇଥିଲେ। ଗୃହ ଭିତରେ କଂଗ୍ରେସ ବିଧାୟକମାନେ ନାରାବାଜି ଓ ହୋ-ହଲ୍ଲା କରିଥିଲେ। ସେମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଏକଜୁଟ୍ ହୋଇ ପ୍ରତିବାଦ କରିଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ସେମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ହେଲେ ତାଙ୍କର ଏହି ଅନୁରୋଧର କଂଗ୍ରେସ ବିଧାୟକ ମାନଙ୍କ ଉପରେ କୌଣସି ପ୍ରଭାବ ପଡି ନ ଥିଲା । ସେମାନେ ଗୃହ ମଧ୍ୟ ଭାଗକୁ ଯାଇ ମୋଦୀ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଏହାଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବାରେ ଲାଗିଥିଲା । ଫଳରେ ମଧ୍ୟ ସ୍ୱାଭାବିକ ଭାବେ ଚାଲି ପାରିନଥିଲା । କଂଗ୍ରେସ ବିଧାୟକଙ୍କ ଲଗାତାର ନାରାବାଜି କାରଣରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷରା କରିଥିଲେ।