-
ଆତ୍ମହତ୍ୟାର କାରଣ ଏବେ ବି ଅସ୍ପଷ୍ଟ
ବଲାଙ୍ଗିର, ଓଡ଼ିଆ ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁ ଗତକାଲି ଅପରାହ୍ନରେ ଆତ୍ମହତ୍ୟା କରିଛନ୍ତି । ବଲାଙ୍ଗିର ଟାଉନ୍ ଥାନା ଅନ୍ତର୍ଗତ ସୁଦପଡା ସ୍ଥିତ ତାଙ୍କ ମାମୁଁ ଘରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମାମୁଁ ବାହାରକୁ କୌଣସି କାମରେ ଯାଇ ଫେରିବା ପରେ କୋଠରୀ ବନ୍ଦ ଥିବା ଦେଖି ତାଙ୍କୁ ଡାକିଥିଲେ । ସେ ନଶୁଣିବାରୁ ତାଲପାଲିପଡା ସ୍ଥିତ ନିଜ ଭଉଣୀଙ୍କୁ ଖବର ଦେଇଥିଲେ । ଭଉଣୀ ଆସିବା ପରେ କୋଠରୀ ଭିତରେ ତାଙ୍କ ଝୁଲନ୍ତା ମୃତଦେହ ଦେଖି ଥାନାକୁ ଖବର ଦେଇଥିଲେ । ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ ଶବଗୃହରେ ରଖାଯାଇଥିଲା । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ପୋଲିସ ସେନେଇ ଅଧିକ ତଦନ୍ତ ଜାରୀ ରଖିଥିବା ଏସପି ନୀତିନ କୁଶଲକର କହିଛନ୍ତି । ଏ ସଂକ୍ରାନ୍ତରେ ବଲାଙ୍ଗିର ଟାଉନ୍ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜାରୀ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ରୁଚିସ୍ମିତା କିଛି ଓଡ଼ିଆ ଆଲବମରେ ଅଭିନୟ କରିଥିବା ବେଳେ ଭକ୍ତି ସଙ୍ଗୀତ କଣ୍ଠଶିଳ୍ପୀ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏଥିସହିତ ସମ୍ବଲପୁରୀ ସଙ୍ଗୀତ ଦୁନିଆରେ ସେ ଜଣେ ଆଗ ଧାଡ଼ିର କଳାକାର ଥିଲେ । ସେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସହିତ ହାଏ ତେରି ବିନ୍ଦିଆ ରିଟର୍ଣ୍ଣସ କ୍ୟାସେଟ, କଣ୍ଠଶିଳ୍ପୀ ଯଶୋବନ୍ତ ସାଗରଙ୍କ ସହିତ ସମ୍ବଲପୁରୀ ଗୁରିଆ, ପ୍ରଶନ୍ନ ବାବୁଙ୍କ ସହିତ ଗୋଲାପ ଫୁଲ, ପ୍ରକାଶ ଜାଲଙ୍କ ସହିତ ତୋର ମଙ୍ଗଳ ସୂତ୍ର ମୋର ଫାଶିର ହାର, ଧିରେନ୍ଦ୍ର ସୁନାଙ୍କ ସହିତ କେସିଙ୍ଗା ହିରୋ, କୁଣ୍ଡଳ କୁମାର ଛୁରିଆଙ୍କ ସହିତ ପସ୍ତାବୁ, ନବୀନ ନନ୍ଦଙ୍କ ସହିତ ଭଲ ଲାଗସି ତତେ, ଦେଶୀ ପିଲା ଭଳି ୧୦୦ରୁ ଅଧିକ ଗୀତ ଗାଇଛନ୍ତି ।