
ଭୁବନେଶ୍ୱର,ଶିଶୁମାନଙ୍କ ଅନ୍ତର୍ନିହିତ ଓ ଲୁଗାୟିତ ପ୍ରତିଭାର ଉନ୍ମେଷ ଓ ବିକାଶ ଅତ୍ୟାବଶ୍ୟକ । ସେମାନଙ୍କ ପ୍ରତିଭାର ମହକ ସାରା ବିଶ୍ୱରେ ପହଂଚୁ ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ମତବ୍ୟକ୍ତ କରିଛନ୍ତି ।
ସୋମବାର କଳିଙ୍ଗ ଷ୍ଟାଡିୟମ୍ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁପ୍ରଯତ୍ନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’କୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ କହିଲେ ଯେ, ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ । ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ହେବା ଉଚିତ । ଏହା ଦ୍ୱାରା ଶିଶୁମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରିବ । ସୃଜନଶୀଳତା ଓ ବୌଦ୍ଧିକ ଗୁଣର ପରିପ୍ରକାଶ କ୍ଷେତ୍ରରେ ଶିଶୁ ମହୋତ୍ସବ ‘ମହକ’ ଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସହାୟକ ହୋଇପାରିଛି । ଏହା ମାଧ୍ୟମରେ ଶିଶୁମାନଙ୍କ ଲୁଗାୟିତ ପ୍ରତିଭା ପରିସ୍ପୁଟ ହୋଇପାରିଛି ।
ଶିଶୁ ଉତ୍ସବ ଶିଶୁମାନଙ୍କର କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା ଦ୍ୱାରା ଶିଶୁମାନଙ୍କ ମଧ୍ୟରେ ନୃତ୍ୟ, ଗୀତ ଭଳି କଳାର ବିକାଶ ସହ ତର୍କ, ରଚନା, କୁଇଜ ଭଳି ବୌଦ୍ଧିକ କସରତ ସମ୍ଭବ ହୋଇଥାଏ । ଶିଶୁ ମହୋତ୍ସବ ‘ମହକ’ ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଏକ ବ୍ୟାପକ ପରିସରରେ ଭାବବିନିମୟ ସମ୍ଭବ ହୋଇ ସେମାନଙ୍କୁ ପ୍ରତିଭାବାନ କରି ଗଢ଼ି ତୋଳିବ ।
ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ମୁଖ୍ୟମନ୍ତ୍ରୀଙ୍କ ଶିଶୁମାନଙ୍କ ପ୍ରତି ସ୍ନେହ ଓ ସଦିଚ୍ଛାର ଅଂଶବିଶେଷ । ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିସ୍ପୁଟନ କ୍ଷେତ୍ରରେ ଏହି ଶିଶୁ ଉତ୍ସବର ମହତ୍ୱପୂର୍ଣ୍ଣ ଭୂମିକା ଅନସ୍ୱୀକାର୍ଯ୍ୟ । ଆମ ରାଜ୍ୟର ପିଲାମାନଙ୍କ ପ୍ରତିଭା ନଭଶ୍ଚୁମ୍ବୀ ହୋଇ ସାରା ଦେଶ ଓ ବିଶ୍ୱରେ ପ୍ରସାରିତ ହେବ ବୋଲି ଶ୍ରୀମତୀ ଶର୍ମା ଆଶା ପ୍ରକାଶ କରିଥିଲେ ।
ବିଭାଗୀୟ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ କୋଭିଡ୍ -୧୯ ମହାମାରୀ ପରେ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ‘ମହକ’ ଶିଶୁ ଉତ୍ସବ ପାଳିତ ହେବା ଗର୍ବ ଓ ଗୌରବର ବିଷୟ । ରାଜ୍ୟର ୩୦ଟି ଜିଲ୍ଲାରୁ ୫ ଶହରୁ ଊର୍ଦ୍ଧ୍ୱ ପିଲାମାନେ ଏଠାରେ ଏକତ୍ରିତ ହୋଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ ଓ ଏହା ୟୁଟ୍ୟୁବ୍ ଓ ଟ୍ୱିଟର ଭଳି ସୋସିଆଲ୍ ମିଡିଆରେ ପ୍ରସାରିତ ହେବ ।
ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁମିତ୍ରା ଜେନା କହିଲେ ଯେ, ପିଲାମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ବାସ୍ତବିକ ଚମତ୍କାର । ସେଗୁଡ଼ିକ ସମୁଚିତ ଭାବେ ସାକାର ହୋଇପାରିବା ଦିଗରେ ବିଭାଗ ନିଷ୍ଠାପର ଉଦ୍ୟମ ଜାରି ରଖିଛି । ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ରେଗା ଗୀତାରାଣୀ ପଟ୍ଟନାୟକ,ଓଡ଼ିଶା ରାଜ୍ୟ ଶିଶୁପ୍ରଯତ୍ନ ଅନୁଷ୍ଠାନର କାର୍ଯ୍ୟକ୍ରମ ପରିଚାଳକ ପ୍ରୀତିକାନ୍ତ ପଟ୍ଟନାୟକ ଯୋଗଦେଇଥିଲେ । ‘ଆଦୃତ’ ଶିଶୁ ଅନୁଷ୍ଠାନର ପିଲାମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ରାଜ୍ୟ ଶିଶୁଯତ୍ନଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ଉତରୀୟ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅତିଥିମାନଙ୍କ ଦ୍ୱାରା ଶିଶୁ ଉତ୍ସବ ଉଦ୍ଘାଟନର ସ୍ମାରକୀ ସ୍ୱରୂପ ବେଲୁନ୍ ଛଡ଼ାଯାଇଥିଲା ।