
ରାଉରକେଲା, ରାଉରକେଲା ସହରର ସେକ୍ଟର ୯ ଠାରେ ଥିବା ଏକ ଘରୋଇ ବିଦ୍ୟାଳୟ ବିକାଶ ବିଦ୍ୟାଳୟର ଲୁହା ଗେଟ ପଡି ଜଣେ ନାବାଳକ ସମେତ ୨ଜଣଙ୍କର ମୃତ୍ୟୁ ହେବା ଘଟଣାକୁ ଏକ ବର୍ଷ ବିତିଜିବା ମାମଲାରେ ଜଣେ ୧ ନମ୍ବର ମିଡିଆ ହାଉସ କହୁଥିବା ବାବୁଙ୍କ ସାନ ଭାଇଙ୍କର କଥା ଆସୁଥିବାରୁ ସ୍ଥାନୀୟ ପୁଲିସ ସଠିକ ଭାବରେ ତଦନ୍ତ ନକରିବା ଓ ଜିଲ୍ଲା ପ୍ରଶାସନ ଏହାକୁ ଆଦୌ ଗୁରୁତ୍ଵ ନଦେବା ଭଳି ନାନା ଅଭିଯୋଗ ହେବା ପରେ ଜଣେ ଆଇନଜୀବୀ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟିକୁ ଏହାକୁ ଆଣିବାରୁ ନିରବ ହୋଇଯାଇଥିବା ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଆଖି ଖୋଲିଛି । ଫଳ ସ୍ଵରୁପ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସ ଚିଠି ନମ୍ବର ୧୩୧୭ ତା ୨୩ ମାର୍ଚ୍ଚ ୨୦୨୩ ଅନୁଯାୟୀ, ପାନପୋଷ ଉପଜିଲ୍ଲାପାଳଙ୍କୁ ଏ ସଂପର୍କରେ ୩ ଦିନ ଭିତରେ ରିପୋର୍ଟ ତଲବ କରିବାକୁ କୁହାଯାଇଛି । ଘଟଣା ୨୦୨୨ ମସିହାର, ସଂପୃକ୍ତ ବିଦ୍ୟାଳୟର ଓଜନଦାର ଲୁହା ଗେଟ ଟିକୁ ସୁରକ୍ଷା କର୍ମୀ ଗାନ୍ଧୀରାମ ରାଉତ (୫୮) ରାତି ପ୍ରାୟ ୧୦ଟା ସମୟରେ ବନ୍ଦ କରିବାକୁ ଉଦ୍ୟମ କରୁଥିବା ବେଳେ ପାଖରେ ଥିବା ନାବାଳକ ସୁରେଶ ଚୌଧୁରୀ (୧୫) ଏଥିରେ ସହଯୋଗ କରିଥିଲା । ଏହି ସମୟରେ ଗେଟଟି ଉଭୟଙ୍କ ଉପରେ ପଡିଯାଇଥିଲା । ଏଥିରେ ସୁରକ୍ଷା କର୍ମୀଙ୍କ ସମେତ ନାବାଳକର ମୃତ୍ୟୁ ହୋଇଥିଲା । ଏନେଇ ଉଭୟ ମୃତକଙ୍କ ପରିବାର ଲୋକେ ବିଦ୍ୟାଳୟ ମ୍ୟାନେଜମେନ୍ଟକୁ ଦାୟୀ କରିବା ସହ କାର୍ଯୟାନୁଷ୍ଠାନ ଦାବି କରିଥିଲେ । ରାଉରକେଲା ଏସପି ଏଥିରେ ଦୁଃଖ ପ୍ରକାଶ କରି ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ଦମ୍ଭୋକ୍ତି ପ୍ରକାଶ କରିଥିଲେ । କିନ୍ତୁ, କଣ କାହା ଉପରେ କାର୍ଯ୍ୟାନୁଷ୍ଠାନ ହେଲା କେଉଁ କାରଣ ଲାଗି ଏଭଳି ୨ଟି ଜୀବନ ଚାଲିଗଲା ସେ ନେଇ କୌଣସି କଥା ପଦାକୁ ଆସିଲା ନାହିଁ, ସମସ୍ତେ ନୀରବୀ ଗଲେ । ଘଟଣା ସଂପର୍କରେ ରାଉରକେଲାରେ ପ୍ରାୟ ସମସ୍ତ ଖବର କାଗଜ ରିପୋର୍ଟ ପ୍ରକାଶ କରିଥିଲେ ବି ନିଜକୁ ୧ ନମ୍ବର କହୁଥିବା ମିଡିଆ ହାଉସ ଏନେଇ ନୀରବ ଥିଲା । ତେବେ ପ୍ରକାଶିତ ଖବର କ୍ଲିପିଂକୁ ଆଧାର କରି ବିଶିଷ୍ଟ ଆଇନଜୀବୀ ରାଧାକାନ୍ତ ତ୍ରୀପାଠୀ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ଏନେଇ ସେଠାରେ ଏକ ମାମଲା ୭୯୦/୧୮/୩୪/୨୦୨୩ ରୁଜୁ ହୋଇଥିଲା । ତେବେ ଏହି ମାମଲାରେ କଣ ପଦକ୍ଷେପ ନିଆଗଲା ସୁରକ୍ଷା ଦୃଷ୍ଟି କୋଣରୁ ଭୁଲ କାହାର ରହିଲା, ଜଣେ ନାବାଳକର ସେଠାରେ ଏହି ଗେଟକୁ କିପରି ଧରିଲା ସେନେଇ ସମସ୍ତ ରିପୋର୍ଟ ତୁରନ୍ତ ଦେବାକୁ କମିଶନ ତାଗିଦ କରିଛନ୍ତି । ଫଳରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ତଥ୍ୟ ସଂଗ୍ରହରେ ଲାଗି ପଡିଛି । ଏହି ଖବର ପଦାକୁ ଆସିବା ପରେ ଆଇନଜୀବୀ ରାଧାକାନ୍ତ ତ୍ରୀପାଠୀଙ୍କୁ ଅନେକ ପ୍ରଶଂସା କରିବା ସହ ସହରର ନାଗରିକ ମାନେ ଏଭଳି ସଚେତନତା ଲାଗି ତାଙ୍କୁ ଧନ୍ୟବାଦ ଦେଇ ରାଉରକେଲାର ପ୍ରତିଟି ନାଗରିକ ଏଭଳି ଆଗକୁ ଆସିବା ଉଚିତ ବୋଲି ମତ ଦେଇଛନ୍ତି ।