ସୁବର୍ଣ୍ଣପୁର, ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପୋଲିସ ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଗାଁରୁ ଜଣେ ଠକ ବ୍ୟବସାୟୀଙ୍କୁ ଗିରଫ କରିଛି । ବାବୁଲାଲ ଛନ୍ଦ ନାମକ ଏହି ବ୍ୟକ୍ତି ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଗାଁରେ ପଶ୍ଚିମ ଓଡିଶା ଏଗ୍ରୋ ହାରଭେଷ୍ଟାର ଓ ରେରକୃଷି ଯନ୍ତ୍ରପାତି ଏଜେନ୍ସି ଖୋଲି ଚାଷୀ ମାନଙ୍କ ପାଖରୁ ବିପୁଳ ପରିମାଣରେ ଟଙ୍କା ଠକି ନେଉଥିବା ଅଭିଯୋଗ ହୋଇଥିଲା। ଜିଲ୍ଲାର ବିରମହରାଜପୁର ଉପଖଣ୍ଡର ଡୁଙ୍ଗୁରି ଗାଁର ରଂଜିତ କୁମାର ଦାସଙ୍କ ପାଖରୁ ସାଢ଼େ ବାଇଶି ଲକ୍ଷ ଟଙ୍କା କୁବୁଟା ହାରଭେଷ୍ଟର ଦେବା ନାଁରେ ବ୍ୟବସାୟୀ ବାବୁଲାଲ ଠକି ନେଇଥିବା ସୁବଳୟା ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତି କରି ପୋଲିସ ବାବୁଲାଲ ସାଢେ ତିନି ଲକ୍ଷ ଟଙ୍କା ନଗଦ ଓ ୧୯ ଲକ୍ଷ ୟୁକୋ ବ୍ୟାଙ୍କ ସୋନପୁରରୁ ଚେକ ମାଧ୍ୟମରେ ରଞ୍ଜିତଙ୍କ ପାଖରୁ ଠକି ନେଇଥିବା ଜାଣିବାକୁ ପାଇଥିଲେ। ଗତ ବର୍ଷ ଜୁନ ମାସରେ ଦିନେ ରାତି ୧୧ଟା ସମୟରେ ବାବୁଲାଲ ଏକ ଚାଇନିଜ କମ୍ପାନୀ ଏଗ୍ରିଓନାର ହାରଭେଷ୍ଟର ଆଣି ରଞ୍ଜିତଙ୍କୁ ଘରେ ଦେଇଥିଲେ। ହେଲେ ସେହି ଯନ୍ତ୍ର ଠିକ ଭାବେ ଚାଲୁ ନଥିବାରୁ ତାକୁ ରଞ୍ଜିତ ରଖି ନ ଥିଲେ ଓ କୁବୁଟା କମ୍ପାନୀର ହାରଭେଷ୍ଟର ଦେବା ପାଇଁ ବାବୁଲାଲଙ୍କୁ କହିଥିଲେ। ଫଳରେ ବାବୁଲାଲ ଆଣିଥିବା ଚାଇନିଜ କମ୍ପାନୀର ହାରଭେଷ୍ଟରଟିକୁ ଫେରେଇ ନେଇଥିଲେ। ସେହି ଦିନ ଠାରୁ ବାବୁଲାଲ ରଞ୍ଜିତକୁ ଆଉ ଧରାଛୁଆଁ ଦେଉ ନ ଥିଲେ କି ଟଙ୍କା ଫେରାଉ ନ ଥିଲେ । ବାବୁଲାଲଙ୍କ ଏପରି କାର୍ଯ୍ୟରେ ରଞ୍ଜିତ ଅତିଷ୍ଠ ହୋଇ ସ୍ଥାନୀୟ ସୁବଳୟା ଥାନାରେ ବାବୁଲାଲଙ୍କ ନାଁରେ ଟଙ୍କା ଠକି ନେଇଥିବା ଲିଖିତ ଅଭିଯୋଗ କରିଥିଲେ। ବାବୁଲାଲ ସୋନପୁର ଅଂଚଳରେ ଆଉ ଜଣେ ଚାଷୀଙ୍କୁ ମଧ୍ୟ ଠକି ଥିବା ପୋଲିସ ଜାଣିବାକୁ ପାଇଛି । ଜିଲ୍ଲାର ବିରମହରାଜପୁର ଅଂଚଳରୁ ଏକ ଓସାଗା ହାରଭେଷ୍ଟର ଓ ବାବୁଲାଲଙ୍କ କହିବା ଅନୁଯାୟୀ ସୋର ଅଂଚଳରୁ ରଞ୍ଜିତ ପାଇଁ ଆସିଥିବା ହାରଭେଷ୍ଟର ଜବତ କରି ଅଭିଯୁକ୍ତ ବାବୁଲାଲକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।
ଆଉ ମଧ୍ୟ ବାବୁଲାଲ ବରଗଡ଼, ବୌଦ୍ଧ, ଝାରସୁଗୁଡା ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଚାଷୀଙ୍କୁ କୃଷି ଯନ୍ତ୍ରପାତି ଯୋଗାଇ ଦେବା ନାଁରେ ଠକିଥିବା ପୋଲିସ ଅନୁମାନ କରୁଛି। ତେବେ ନିରୀହ ଚାଷୀ ମାନେ ଏପରି ଠକଙ୍କ ହାବୁଡରେ ନ ପଡି ଆବଶ୍ୟକ ତଥ୍ୟ ସଂଗ୍ରହ ପରେ ଦାମିକିଆ ଯନ୍ତ୍ରପାତି କିଣିବା ପାଇଁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନୁରୋଧ କରିଛନ୍ତି। ଅଭିଯୁକ୍ତ ବାବୁଲାଲକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।