
-
ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ ସମସ୍ୟାର ସମାଧାନ କରନ୍ତୁ : ବିଜୟ ମହାପାତ୍ର
ଭୁବନେଶ୍ୱର, ହୀରାକୁଦରେ ପାଣି ସମସ୍ୟା ଉଦବେଗଜନକ । ହୀରାକୁଦ ଇତିହାସରେ ଏମିତି ପ୍ରଥମଥର ସଙ୍କଟ ଦେଖାଦେଇଛି । ହୀରାକୁଦ ଜଳସ୍ତର ଏତେ ତଳ ସ୍ତରକୁ ଚାଲିଯିବ ଯେ କିଛି ମାସରେ ହୀରାକୁଦ ଡେଡ ଷ୍ଟୋରେଜ ଲେବଲକୁ ଆସିଯିବ । ଏହା ଦ୍ୱାରା ୧୪ରୁ ୧୫ ଜିଲ୍ଲା କ୍ଷତିଗ୍ରସ୍ତ ହେବ । ପିଇବା ପାଣି, ଚାଷ ପାଣି ସମସ୍ୟା ସହ ବିଜୁଳି ଉତ୍ପାଦନ ବନ୍ଦ ହେବ । ହୀରାକୁଦରେ ପାଣି ସମସ୍ୟା ନେଇ ଏଭଳି ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ ଏହି ସମସ୍ୟାର ସମାଧାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ସେ କହିଛନ୍ତି, ଏବେ ହୀରାକୁଦରେ ଜଳସ୍ତର ୬୧୬.୬୯ ଫୁଟ୍ ଅଛି । ଗତବର୍ଷ ଏହା ୬୨୧.୫ ଫୁଟ୍ ଥିଲା ।୪ ଦିନ ତଳେ ୬୧୭.୫୧ ଫୁଟ୍ ଥିଲା । ଅର୍ଥାତ ୪ ଦିନରେ ଗୋଟିଏ ଫୁଟ୍ କମିଛି, ଯଦି ଏହି ହାରରେ ପାଣି କମେ ମେ ଶେଷ ବେଳକୁ ୬୦୦ଫୁଟରେ ପହଂଚିବ । ଜୁନ୍ ମାସରେ ହୀରାକୁଦ ଡେଡ ଷ୍ଟୋରେଜ ଲେବଲକୁ ଆସିଯିବ । ସରକାର ଜାଣି ନିରବ ଦ୍ରଷ୍ଟା । ପୁର୍ବରୁ ୧୨ ହଜାରରୁ ୧୫ ହଜାର କ୍ୟାସେକ ଆସୁଥିଲା ହେଲେ ଏବେ ୪୮୫ କ୍ୟାସେକ ପାଣି ଆସୁଛି । ଏଭାପରେସନ୍ ଲସ୍ ହେଉଛି ୮୧୫ କ୍ୟୁସେକ । ଟ୍ରିବ୍ୟୁନାଲ ଗଠନକୁ ୭ ବର୍ଷ ହୋଇଗଲା । ୧.୨୫୨ ମିଲିୟନ ଏକର ପାଣି ଦିଆଯାଉ ବୋଲି ଦାବି ଥିଲା , ଟ୍ରିବ୍ୟୁନାଲ ନିଷ୍ପତି ନେଲା ନାହିଁ ।
ବିଜୟ ମହାପାତ୍ର ଆହୁରି କହିଛନ୍ତି, ଛତିଶଗଡ଼ ସରକାର ଯଦି କିଛି ପାଣି ଛାଡ଼ିବେ, ତାହେଲେ କିଛି ସମାଧାନ ହେବ । ଛତିଶଗଡ଼ ମନମୁଖୀ ବ୍ୟାରେଜ ନିର୍ମାଣର ପ୍ରଥମ ପ୍ରଭାବ ଓଡ଼ିଶାରେ ଏବେ ପଡୁଛି । ଛତିଶଗଡ଼ ସରକାର ଏବଂ ଟ୍ରିବ୍ୟୁନାଲ ଦାୟୀ । ଅଣ ମୌସୁମୀ ସମୟରେ ସମସ୍ୟା ପାଇଁ ବିଭିନ୍ନ ପ୍ରକଳ୍ପ ସହ ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରିପାରିଥାନ୍ତେ । ୭ ବର୍ଷ ଭିତରେ ସରକାର ଚାହିଁଥିଲେ ୨ରୁ ୩ଟି ବ୍ୟାରେଜ କରିପାରିଥାନ୍ତେ । ୪୦ ପ୍ରତିଶତ ଅଣମୌସୁମୀ ସମୟରେ ମ୍ୟାନେଜ କରାଯାଇ ପାରିଥାନ୍ତା । ରାଜ୍ୟ ସରକାର ସବୁ ଜାଣି କେମିତି ନୀରବ ରହିଲେ । ଏତେ ବଡ଼ ସମସ୍ୟାକୁ ସରକାର ଗୁରୁତର ସହ ନନେଇ କାହିଁ ଖାମଖିଆଲ ଭାବେ ନେଲେ । ବିଧାନସଭାରେ ସବୁ ଦିଗକୁ ନେଇ ସଦସ୍ୟମାନେ ଆଲୋଚନା କରନ୍ତୁ । ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।